ଭାରସାମ୍ୟ ହରାଇ ଓଲଟିଲା ବସ୍: ଜଣେ ନାବାଳକ ମୃତ ଓ ଜଣେ ଗୁରୁତର, ୨୫ରୁ ଊର୍ଦ୍ଧ୍ୱ ଆହତ

ସଇଁନ୍ତଳା,ଏନ୍ଏନ୍ଏସ୍: ଯାତ୍ରୀବାହୀ ବସ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଭବାନୀପାଟଣାରୁ ମଣିବାବା ନାମକ ଏକ ଘରୋଇ ବସ ନୂଆପଡା ଜିଲ୍ଲାର ଖରିଆର ଅଭିମୁଖେ ବାହାରିଥିଲା। ସିନ୍ଧେକେଲା ଥାନା ତୁର୍କୀଭଟା ଗାଁ ନିକଟରେ ବସଟି ଭାରସାମ୍ୟ ହରାଇ ଏକ ବିଲକୁ ଓଲଟି ପଡିଥିଲା। ବିଲ ହିଡ଼ରେ ବସିଥିବା ତୁର୍କୀଭଟା ଗାଁର ଜଣେ ନାବାଳକ ସିଦ୍ଧାନ୍ତ ଯାନୀ(୧୪) ଓ ଭୋଳା ଭୋଇ ବସିଥିଲେ।

ବସଟି ତାଙ୍କ ଉପରେ ଓଲଟି ପଡିବାରୁ ଘଟଣାସ୍ଥଳରେ ସିଦ୍ଧାନ୍ତ ଯାନୀର ମୃତ୍ୟୁ ଘଟିଥିବା ବେଳେ ଭୋଳା ଭୋଇ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ବସରେ ୫୦ ଜଣରୁ ଊର୍ଦ୍ଧ୍ୱ ଯାତ୍ରୀ ରହିଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଦୁର୍ଘଟଣାରେ ନାବାଳକର ମୃତ୍ୟୁ ପରେ ତୁର୍କୀଭଟା ଗାଁ ଲୋକ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।