ନୂଆଦିଲ୍ଲୀ,ଏଜେନ୍ସି: ୟୁନେସ୍କୋର ଆନ୍ତର୍ଜାତିକ ସାଂସ୍କୃତିକ ଐତିହ୍ୟର ପାର୍ବଣର ସ୍ବୀକୃତି ପାଇଲା କୋଲକାତାର ପ୍ରସିଦ୍ଧ ଦୁର୍ଗାପୂଜା। ଡିସେମ୍ବର ୧୩ ରୁ ୧୮ ପର୍ଯ୍ୟନ୍ତ ଫ୍ରାନ୍ସର ପ୍ୟାରିସର ଆୟୋଜିତ ୟୁନେସ୍କୋର ସୁରକ୍ଷା ସମ୍ମିଳନୀରେ ଆନ୍ତ ରାଜ୍ୟ କମିଟି ଏହାର ୧୬ ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏପରି ନିଷ୍ପତ୍ତି ସମ୍ପର୍କରେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ କରିବାର ବିଷୟ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ କରି, ଏହା ଆମ ସଂସ୍କୃତିକ ଏକତାର ପରଚୟ ବହନ କରେ ବୋଲି କହିଛନ୍ତି। ସେହିପରି ମମତା ବାନାର୍ଜୀ ମଧ୍ୟ ଏହାକୁ ବେଙ୍ଗଲ ପାଇଁ ଏକ ଗର୍ବିତ କ୍ଷଣ ବୋଲି ବର୍ଣ୍ଣନା କରିବା ସହ ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ ବରଂ ଏହା ସମସ୍ତଙ୍କ ପାଇଁ ଏକତା ଓ ଆବେଗ ବୋଲି କହିଛନ୍ତି।
କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ଏହା ହେଉଛି ଆମର ସମୃଦ୍ଧ ଐତିହ୍ୟ, ସଂସ୍କୃତି, ରୀତିନୀତି ଏବଂ ପ୍ରଥା ଏବଂ ନାରୀମାନଙ୍କର ଇଶ୍ବରୀୟତା ଏବଂ ନାରୀତତ୍ତ୍ବର ଆତ୍ମା ସଦୃଶ। ଦୁର୍ଗା ପୂଜା କେବଳ ଏକ ଉତ୍ସବ ନୁହେଁ ବରଂ ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ, ରୀତିନୀତି, ରନ୍ଧନ ଏବଂ ସାଂସ୍କୃତିକ ଦିଗଗୁଡିକର ଏକ ବ୍ୟକ୍ତିତ୍ବର ଅଭିବ୍ୟକ୍ତି।
ସାରା ଦେଶର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ପାଳନ କରାଯାଉଥିବା ବେଳେ କୋଲକାତା ଦୁର୍ଗାପୂଜାର ଭିନ୍ନ ଏକ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଆନ୍ତର୍ଜାତୀୟ ସ୍ତରରେ ଏହା ସ୍ବୀକୃତି ଲାଭ କରିବା ପରେ ଏବେ ଏହା ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିବ ଏଥିରେ ସନ୍ଦେହ ନାହିଁ।