୨ ଦିନ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ୨ ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବେ ବ୍ୟାଙ୍କ କର୍ମଚାରୀ। ଫଳରେ ଗୁରୁବାର ଓ ଶୁକ୍ରବାର ପ୍ରଭାବିତ ହେବ ବ୍ୟାଙ୍କ କାମ। କେନ୍ଦ୍ର ୨୦୨୧-୨୨ ବଜେଟରେ ଦୁଇଟି ସାର୍ବଜନୀନ କ୍ଷେତ୍ରର ଋଣଦାତାଙ୍କୁ ଘରୋଇକରଣକୁ ବିରୋଧ କରି ବନ୍ଦ ଡାକରା ଦେଇଛନ୍ତି ବ୍ୟାଙ୍କ ୟୁନିୟନ।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍, ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍, ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ନ୍ୟାସନାଲ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ ୱାର୍କର୍ସ ଦ୍ୱାରା ଏହି ଧର୍ମଘଟ ଡାକରା ଦିଆଯାଇଛି।

ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟକୁ ନେଇ ସଂଘ ନିଷ୍ପତ୍ତି ନେଇଛି ବୋଲି ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନର ସାଧାରଣ ସମ୍ପାଦକ ସୌମ୍ୟ ଦତ୍ତ ସୂଚନା ଦେଇଛନ୍ତି। ବିଭିନ୍ନ ସରକାରୀ କ୍ଷେତ୍ର ବ୍ୟାଙ୍କ, ପୁରୁଣା ପୀଢିର ଘରୋଇ କ୍ଷେତ୍ର ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକର କର୍ମଚାରୀ ଏବଂ ଅଧିକାରୀମାନେ ଏହି ଧର୍ମଘଟରେ ଅଂଶଗ୍ରହଣ କରିବେ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ଚେକ୍ କ୍ଲିୟରାନ୍ସ ଏବଂ ପାଣ୍ଠି ସ୍ଥାନାନ୍ତର ଭଳି ବ୍ୟାଙ୍କିଙ୍ଗ କାର୍ଯ୍ୟ ଉପରେ ସମ୍ଭାବ୍ୟ ପ୍ରଭାବ ବିଷୟରେ ପୂର୍ବରୁ ଜଣାଇସାରିଥିଲା। ଏହି ଧର୍ମଘଟ ଗ୍ରାହକ ଏବଂ ନିବେଶକଙ୍କ ସ୍ୱାର୍ଥରେ ନାହିଁ ବୋଲି ଦର୍ଶାଇ, କାନାରା ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ସେମାନଙ୍କ କର୍ମଚାରୀଙ୍କୁ ଧର୍ମଘଟ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।