ଓଡ଼ିଶା ସରକାରଙ୍କୁ ନିତି ଆୟୋଗ ଉପାଧ୍ୟକ୍ଷଙ୍କ ପରାମର୍ଶ: ଖଣି ଉତ୍ପାଦନ ବଢ଼ାଅ, ଏସ୍‌ଡିଜି ଗଠନ କର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଖଣି ଉତ୍ପାଦନ ବଢ଼ାଅ। ନିରନ୍ତର ବିକାଶ ଲକ୍ଷ୍ୟ ବା ଏସ୍‌ଡିଜି ମନିଟରିଂ ୟୁନିଟ୍ ଗଠନ କର । କୃଷି ଉତ୍ପାଦନ ବୃଦ୍ଧି ସହ ରାଜ୍ୟରେ ରସାୟନମୁକ୍ତ ଚାଷକୁ ଅଧିକ ଗୁରୁତ୍ୱ ଦିଅ। ଏସବୁକୁ ଦୃଷ୍ଟି ଦେଲେ ଓଡ଼ିଶା ଅଷ୍ଟ୍ରେଲିିଆ ଭଳି ଉନ୍ନତ ହୋଇଯିବ। ଏହି ପରାମର୍ଶ ଦେଇଛନ୍ତି ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ନିତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର। ଅନ୍ୟପକ୍ଷରେ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ଦୋହରାଇଛନ୍ତି।

ବୁଧବାର ଲୋକସେବା ଭବନରେ ଦିନତମାମ୍ ରାଜ୍ୟର ବିକାଶ ଉପରେ ମାରାଥନ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡ. କୁମାର ଯୋଗ ଦେଇଥିଲା ବେଳ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ। ଡ. କୁମାର କହିଛନ୍ତି ଯେ ପ୍ରତିଟି ରାଜ୍ୟର ନିଜର ପ୍ରାଥମିକତା ଭିନ୍ନ। ଏନେଇ ସ୍ୱତନ୍ତ୍ର ଆଭିମୁଖ୍ୟ ବି ରହିଛି। ଓଡ଼ିଶା ତା’ର ନିର୍ଦ୍ଧିଷ୍ଟ ଆଭିମୁଖ୍ୟ ସ୍ପଷ୍ଟ କରିବା ଜରୁରୀ ଏବଂ ‘ବିକାଶର ବ୍ଳୁପ୍ରିଣ୍ଟ’ ଆଗୁଆ ପ୍ରସ୍ତୁତ ହେବା ବିଧେୟ। ଓଡ଼ିଶା ଏକ ଖଣି ବହୁଳ ରାଜ୍ୟ ହୋଇଥିବାରୁ ଖଣିଜ ସାମଗ୍ରୀ ଉତ୍ପାଦନ ବୃଦ୍ଧି ଉପରେ ଅଧିକ ଫୋକସ୍ କରିବା ବି ଦର୍‌କାର। ସେଥିପାଇଁ ଖଣିଜ ଉତ୍ପାଦନକୁ ଏକ ପ୍ରତିଶତରୁ ଦୁଇ ପ୍ରତିଶତ ଅଧିକ କରିବାକୁ ହେବ। ଅଷ୍ଟ୍ରେଲିଆ ୫ ପ୍ରତିଶତ ଖଣିଜ ଉତ୍ପାଦନ କରି ଉନ୍ନତ ରାଷ୍ଟ୍ର ହୋଇପାରିଛି। ତେଣୁ ରାଜ୍ୟ ସରକାର ଏଥିପ୍ରତି ନଜର ଦେଲେ ରାଜ୍ୟ ବିକାଶ ହୋଇପାରିବ।

ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧିକୁ ପ୍ରଶଂସା କରି ଡ. କୁମାର କହିଛନ୍ତି ଯେ ଆର୍ଥିକ ନିଅଣ୍ଟ ପାଞ୍ଚ ପ୍ରତିଶତରୁ କମ୍ ରହିଛି। ଜାତୀୟ ହାର ଠାରୁ ଓଡ଼ିଶା ମୁଣ୍ଡ ପିଛା ଆୟ ହାର ବି ଅଧିକ ରହିଛି। ୨୦୧୧ରୁ ୨୦୧୯ ମଧ୍ୟରେ ହୋଇଥିବା ପରିସଂଖ୍ୟାନରେ ତାହା ସ୍ପଷ୍ଟ ହୋଇଛି। ତାହା ଭଲ କଥା। ଏହି ଧାରା ବଜାୟ ରହିଲେ ରାଜ୍ୟ ଲାଭବାନ ହେବ। ଏହା ସତ୍ତ୍ୱେ ବି ଓଡ଼ିଶା ଏସ୍‌ଡିଜି ମନିଟରିଂ ୟୁନିଟ୍ ଗଠନ ସହ ରସାୟନମୁକ୍ତ କୃଷି ଉତ୍ପାଦନ ଅଧିକ କରୁ। ଏନେଇ ନିର୍ଦ୍ଦିଷ୍ଟ ‘ବିକାଶ ବ୍ଳୁପ୍ରିଣ୍ଟ’ ପ୍ରସ୍ତୁତ କରିବା ପାଇଁ ନିତି ଆୟୋଗ ଓଡ଼ିଶା ସହ ସହଭାଗୀ ହେବାକୁ ଆଗ୍ରହୀ ବୋଲି ଡ. ରାଜୀବ କୁମାର ପ୍ରତିଶ୍ରୁତି ଦେଇଛନ୍ତି।

ଉକ୍ତ ବୈଠକରେ ଭର୍ଚୁଆଲରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହଛନ୍ତି ଯେ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ସାମଗ୍ରିକ ବିକାଶ ହୋଇଛି। କୃଷି, ଶିକ୍ଷା, ଭିତ୍ତିଭୂମି, ଗମନାଗମନରେ ଉନ୍ନତି ହୋଇଛି। ଉଭୟ ସ୍ଥୁଳ ଅର୍ଥନୀତି ଓ ସାମାଜିକ ଅର୍ଥନୀତିରେ ବ୍ୟାପକ ଅଭିବୃଦ୍ଧି ଘଟିଛି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ଲୋକଙ୍କ ଆର୍ଥିକ ସ୍ଥିତି ବଦଳିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ ସଫଳ ଓ ଉନ୍ନତିମୂଳକ କାର୍ଯ୍ୟ ଯୋଗୁଁ ମାଓ ଦୌରତ୍ମ୍ୟ କମିଛି। ଏଥିରେ ସାମିଲ ହେଉଥିବା ଯୁବକ-ଯୁବତୀ ଆତ୍ମସମର୍ପଣ କରି ସ୍ୱାଭାବିକ ଜୀବନ ବିତାଉଛନ୍ତି। ସରକାର ସେମାନଙ୍କ ଥଇଥାନ ପାଇଁ ସ୍ୱତନ୍ତ୍ର ଅର୍ଥିକ ପ୍ୟାକେଜ୍ କରିଛନ୍ତି। ସେହିପରି ବିଭିନ୍ନ ଯୋଜନା ଯୋଗୁଁ ରାଜ୍ୟରେ କାର୍ଯ୍ୟରତା ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଆର୍ଥିକ ସ୍ଥିତି ଉନ୍ନତି ହୋଇଛି। ତେଣୁ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ହେବ। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ତାଳ ରଖି ନୀତି ଆୟୋଗ କାମ କରିବା ଦରକାର। ଏଭଳି ହେଲେ ଓଡ଼ିଶା ଭଳି ଅନ୍ୟ ରାଜ୍ୟଗୁଡ଼ିିକ ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ବ୍ଲୁପ୍ରିଣ୍ଟ ରଖିପାରିବେ। ଦ୍ୱିତୀୟରେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ସୁଚାରୁ ରୂପେ ପରିଚାଳନା ପାଇଁ ବାଟ ବାହାରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ବୈଠକରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ବ୍ୟତୀତ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏବଂ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ। ଉକ୍ତ ବୈଠକ ପୂର୍ବରୁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।