ପୀଡ଼ିତାକୁ ଜୀବନ ସାଥୀ ଭାବେ ଗ୍ରହଣ କଲେ ଦୁଷ୍କର୍ମ ଅଭିଯୁକ୍ତ ବିଚାରଧୀନ ବନ୍ଦୀ

ଦେବଗଡ଼,ଏନ୍‌ଏନ୍‌ଏସ୍ : ଦୁଷ୍କର୍ମ ଅଭିଯୁକ୍ତ ଜଣେ ବିଚାରଧୀନ ବନ୍ଦୀ କୋର୍ଟଙ୍କ ଆଦେଶ ଓ ଜେଲ ସଂସ୍କାର କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗୀୟ ଅଧିକାରୀଙ୍କ ମଞ୍ଜୁରୀ ପରେ ପୀଡ଼ିତାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଶଖଳିଆ ଗ୍ରାମର ମହି ଶବରଙ୍କ ପୁଅ ବୈକୁଳି ଶବର ସେହି ଗ୍ରାମର ଆରତୀ ଶବର ନାମ୍ନୀ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଆରତୀଙ୍କ ପରିବାର ଏହାକୁ ଗ୍ରହଣ ନକରିବାରୁ ବୈକୁଳି ବିରୁଦ୍ଧରେ କୁଣ୍ଡେଇଗୋଳା ଥାନାରେ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ବୈକୁଳିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଗତ ନଭେମ୍ବର ୨୦୧୯ ମସିହାରୁ ବୈକୁଳି ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହି ଆସୁଥିଲେ । ତେବେ ୩ ମାସ ପୂର୍ବରୁ ପୀଡ଼ିତା ଆରତୀ ଏବଂ ତାଙ୍କ ପିତା ପହଲି ଶବର ଅଭିଯୁକ୍ତ ଯୁବକ ବୈକୁଳି ସହ ବିବାହ ପାଇଁ ସ୍ୱତନ୍ତ୍ର ଉପକାରାଗାର ଅଧିକ୍ଷକ ବିକାଶ କୁମାର ସାହୁଙ୍କୁ ସାକ୍ଷାତ କରି ଲିଖିତ ଅନୁରୋଧ କରିଥିଲେ । ପୀଡ଼ିତାଙ୍କ ଅନୁରୋଧ ପତ୍ରକୁ ଜେଲ ଅଧିକ୍ଷକ ଶ୍ରୀ ସାହୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ମଞ୍ଜୁରୀ ପାଇବା ପରେ ଗତକାଲି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୈକୁଳିକୁ ନିବନ୍ଧନ ଓ ବିବାହ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ପୂର୍ବରୁ ପହଞ୍ଚି ଥିବା ପୀଡ଼ିତା ଆରତୀ ତାଙ୍କ ପରିବାରର ଉପସ୍ଥିତିରେ ରେଜେଷ୍ଟ୍ରି ବିବାହ କରିବା ସହ ମାଳ ପିନ୍ଧାଇ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ । ପରେ ଜେଲ ଫେରିବା ପୂର୍ବରୁ ଶାସନ ସାହିସ୍ଥିତ ଗୋକର୍ଣଶ୍ୱର ମନ୍ଦିରରେ ସିନ୍ଦୁର ପିନ୍ଧାଇ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ ।