ୟୁପିରେ ଭାଙ୍ଗିଲା ନିର୍ମାଣାଧୀନ କୋଠା; ୩ ମୃତ, ୧୨ ଆହତ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ରବିବାର ନିର୍ମାଣାଧୀନ କୋଠାର ଗୋଟିଏ ପାର୍ଶ୍ୱ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

କାଶଗଞ୍ଜ ଜିଲ୍ଲା ଜନପଦର ସଦର କୋତବାଲି ଅଞ୍ଚଳରେ ରାଜିବ ବିଡଲା ନାମକ ଜଣେ ଦୋକାନୀଙ୍କ ଦୋକାନ ନିର୍ମାଣ କାର୍ଯ୍ୟ ହେଉଥିଲା। ଏହି ସମୟରେ ଦୋକାନର ସଟର ପକାଇବା ସମୟରେ ନିର୍ମାଣାଧୀନ କୋଠାର ଗୋଟିଏ ପାର୍ଶ୍ୱ ଭାଙ୍ଗିପଡିଥିଲା। ଫଳରେ ଏହା ତଳେ ଦୋକାନୀଙ୍କ ଭାଇ କୁଲଦୀପ ବିଡଲାଙ୍କ ସମେତ ଅନ୍ୟ କିଛି ଲୋକ ପୋତି ହୋଇଯାଇଥିଲେ। ଏହି ଘଟଣାଟି ହଠାତ ଘଟିବା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ପ୍ରଶାସନର ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ୧୨ ଜଣଙ୍କୁ ଉଦ୍ଧାର କରିଛି। ଏହି ଦୁର୍ଘଟଣାରେ ଦୋକାନୀଙ୍କ ଭାଇ କୁଲଦୀପଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ମଧ୍ୟ ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେଠାରେ ଏସପି ଆଦିତ୍ୟ ପ୍ରକାଶ ବର୍ମାଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି।