ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶ କରୋନା ମହାମାରୀର ମୁକାବିଲା କରିବା ସହ ବ୍ଲାକ୍ ଫଙ୍ଗସ ରୋଗର ମୁକାବିଲା ପାଇଁ ସଂଘର୍ଷ କରୁଛି। ଏହାରି ଭିତରେ ପଙ୍ଗପାଳ ଆକ୍ରମଣ ହେବାର ସମ୍ଭାବନା ମଧ୍ୟ ବହୁତ ବଡ ସମସ୍ୟା ରୂପରେ ଆସି କବଟ ବାଡେଇଲାଣି। ପଙ୍ଗପାଳ ଆକ୍ରମଣକୁ ନେଇ ଆଲିଗଡ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସତର୍କ ସୂଚନା ଜାରି କରିଛନ୍ତି। ରାଜସ୍ଥାନର ଜ୍ୟସାଲମେର ସହରରେ ପଙ୍ଗପାଳ ଦେଖିବା ପରେ ଅଧିକାରୀମାନେ ଏହି ପରାମର୍ଶ ଦେଇଛନ୍ତି। ଏବେ ରାଜ୍ୟ କୃଷି ବିଭାଗ ମଧ୍ୟ ଏହାକୁ ନେଇ ସଜାଗ ରହିଛି। ଏହି ପ୍ରସଙ୍ଗରେ ଚାଷୀଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି।
ମରୁଭୂମି ପଙ୍ଗପାଳ ଯାହା ପ୍ରତିଦିନ ନିଜ ଓଜନ ପର୍ଯ୍ୟନ୍ତ ଫସଲ ଖାଇପାରେ। ଯେତେବେଳେ ଲକ୍ଷ ଲକ୍ଷ ପଙ୍ଗପାଳ ଏକ ଫସଲ ଉପରେ ଓହ୍ଲାନ୍ତି, ସେମାନେ ସବୁକିଛି ନଷ୍ଟ କରିଦିଅନ୍ତି। ଗତ ବର୍ଷ ଉତ୍ତରପ୍ରଦେଶର ପ୍ରାୟ ୧୭ ଟି ଜିଲ୍ଲାକୁ ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଚାଷ ଉପରେ ଆକ୍ରମଣ କରିଥିଲେ। ପରେ ଏହାର ପ୍ରଭାବ ପାଞ୍ଚଟି ରାଜ୍ୟରେ ଦେଖିବାକୁ ମିଳିଥିଲା।