୨୦ ବର୍ଷରୁ କମ୍ ରାଜ୍ୟ ରେସ୍‌ଲିଂ ପ୍ରତିଯୋଗିତା

କଟକ,ଏନ୍‌ଏନ୍‌ଏସ: ବାରବାଟୀ ଷ୍ଟାଡିୟମସ୍ଥିତ କ୍ଲବ୍ ହାଉସରେ ୨୦ ବର୍ଷରୁ କମ୍ ରାଜ୍ୟ ରେସ୍‌ଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ରେସ୍‌ଲିଂ ସଂଘ ସହ ଅନୁବନ୍ଧିତ ବିଭିନ୍ନ ଜିଲ୍ଲାରୁ ଏହି ପ୍ରତିଯୋଗିତାରେ ପ୍ରାୟ ୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିଭିନ୍ନ ଓଜନ ବିଭାଗରେ ୧୯ ଜଣ ପ୍ରତିଯୋଗୀ ବିଜୟୀ ହୋଇଥିବା ବେଳେ ସେମାନେ ଆସନ୍ତା ଏପ୍ରିଲ ୧୫ରୁ ୧୭ ପର୍ଯ୍ୟନ୍ତ ରାଞ୍ଚିରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ।

ବାଳକ ୬୧ କିଗ୍ରା ଓଜନ ବିଭାଗରେ ଅଗବସ୍ ରାଇତା, ୬୫ କିଗ୍ରାରେ ପବିତ୍ର ସାହୁ, ୭୦ କିଗ୍ରାରେ ପ୍ରଶାନ୍ତ କୁମାର, ୭୪ କିଗ୍ରାରେ କାହ୍ନୁଚରଣ ସ୍ୱାଇଁ, ୭୯ କିଗ୍ରାରେ ସୂରଜ ଚୌଧୁରୀ, ୮୬ କିଗ୍ରାରେ ଦାମୋଦର ମହାପାତ୍ର, ୯୨ କିଗ୍ରାରେ ସତ୍ୟନାରାୟଣ ବିଜୟୀ ହୋଇଛନ୍ତି। ସେହିପରି ବାଳିକା ୫୦ କିଗ୍ରା ବିଭାଗରେ ବନିତା ପାତ୍ର, ୫୩ କିଗ୍ରାରେ ଶୁଭଶ୍ରୀ ନାୟକ, ୫୫ କିଗ୍ରାରେ ଜାଫରିନ ଚୌଧୁରୀ, ୫୯ କିଗ୍ରାରେ ଦିବ୍ୟଜ୍ୟୋତି ନାୟକ ଓ ୬୨ କିଗ୍ରାରେ ବୟନିକା ସାହୁ ଚାମ୍ପିଅନ୍ ହୋଇଛନ୍ତି।

ରାଜ୍ୟ କୁସ୍ତି ସଂଘ ସମ୍ପାଦକ କିଶୋର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ସଭାପତି ରାମଚନ୍ଦ୍ର ପାଢ଼ୀ, ସନ୍ତୋଷ ଦାସ, କୁମର ରାୟ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ଅମ୍ବାଳିକା ଜେନା, ଦିଲ୍ଲୀପ ନାରାୟଣ ଗୁଟୁ, ଶ୍ୟାମ ସୁନ୍ଦର ମହାପାତ୍ର ଖେଳ ପରିଚାଳନା କରିଥିଲେ।