ସ୍ପାନିଶ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍‌: ପ୍ରମୋଦ ଜିତିଲେ ରୌପ୍ୟ, ଦୀପଙ୍କୁ ବ୍ରୋଞ୍ଜ୍

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ପେନ୍‌ର କାଟାଜେନା ସହରରେ ରବିବାର ଉଦ୍‌ଯାପିତ ହୋଇଛି ସ୍ପାନିଶ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍। ଏଥିରେ ବିଶ୍ୱର ଏକ ନମ୍ବର ଖେଳାଳି ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ବର୍ଗରେ ରୌପ୍ୟ ପଦକ ପାଇ ସନ୍ତୁଷ୍ଟ ହୋଇଛନ୍ତି। ସେ ରବିବାର ଫାଇନାଲ୍‌ରେ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କଠାରୁ ୯-୨୧, ୧୨-୨୧ରେ ପରାସ୍ତ ହୋଇଛନ୍ତି।

ଉଭୟ ପ୍ରତିଯୋଗୀ ଗତ ପାରାଲିମ୍ପିକ୍ସ ଫାଇନାଲ୍‌ରେ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଏଥିସହ ବେଥେଲ୍ ଏହି ପରାଜୟର ପ୍ରତିଶୋଧ ରବିବାର ନେବାରେ ସକ୍ଷମ ହୋଇଛନ୍ତି। ଏହାଛଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ଦୀପ୍ ରଞ୍ଜନ ବିଷୋୟୀ ଡବଲ୍ସ ଇଭେଣ୍ଟ୍‌ରେ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି।