୧୭ ବର୍ଷରୁ କମ୍ ବାଳକ ଫୁଟବଲ ସାଫ୍ ଚାମ୍ପିଅନସିପ୍‌: ନେପାଳକୁ ହରାଇ ଭାରତ ଚାମ୍ପିଅନ

କଲମ୍ବୋ,ଏଜେନ୍ସି: ୧୭ ବର୍ଷରୁ କମ୍ ବାଳକ ଫୁଟବଲ ସାଫ୍ ଚାମ୍ପିଅନସିପରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଭାରତ । ଫାଇନାଲ ମୁକାବିଲାରେ ନେପାଳକୁ ୪-୦ରେ ପରାସ୍ତ କରି ଟାଇଟଲ ହାତେଇଛନ୍ତି ଭାରତୀୟ ଦଳ । ମ୍ୟାଚଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା । ଆରମ୍ଭରୁ ହିଁ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ।

ମ୍ୟାଚ ଆରମ୍ଭର ୧୮ ମିନିଟରେ ଭାରତର ରବି ସିଂ ପ୍ରଥମ ଗୋଲ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧରେ କରୋଉ ସିଂ ଦ୍ବିତୀୟ ଗୋଲ ଦେଇ ଭାରତକୁ ୨-୦ ଗୋଲରେ ଆଗୁଆ କରାଇଥିଲେ । ନେପାଳ ଦଳ ନିରୁପାୟ ହୋଇଯାଇଥିଲା ଗୋଟିଏ ଗୋଲ ପରିଶୋଧ କରିବାର ସଫଳ ହୋଇନଥିଲା ଦଳ । ଦ୍ବିତୀୟାର୍ଦ୍ଧର ୬୩ ମିନିଟ ଭନଲାଲପେକେ ଗୁଇତେ ଏବଂ ଅମନ ୯୪ ମିନିଟରେ ଆଉ ୨ଟି ଗୋଲ ଦେଇ ଦଳରୁ ୪-୦ରେ ବିଜୟୀ କରାଇଥିଲେ । ଶେଷ ପର୍ଯ୍ୟାୟ ଯାଏଁ ନେପାଳ ଦଳ ଗୋଲ ଖାତା ଖୋଲି ପାରିନଥିଲା । ଭାରତ ପକ୍ଷରୁ ଟି.ଗଙ୍ଗତେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୪ଟି ଗୋଲ ସ୍କୋର କରିଥିଲେ ।

ଗ୍ରୁପ ପର୍ଯ୍ୟାୟରେ ଭାରତକୁ ନେପାଳ ହରାଇଥିଲା । ଫାଇନାଲରେ ଭାରତକୁ ହରାଇବା ପାଇଁ ନେପାଳ ପାଖରେ ଦକ୍ଷତା ନଥିଲା । ଫାଇନାଲ ମୁକାବିଲା ଜିତି ଭାରତ ଗ୍ରୁପ ପର୍ଯ୍ୟାୟର ପ୍ରତିଶୋଧ ନେଇଛି । ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ଆଧିପତ୍ୟ ବିସ୍ତାର କରିଥିଲେ । ନେପାଳ ଦଳକୁ ପଡିଆରେ ଘାଇଲା କରିଥିଲେ ଭାରତୀୟ ଦଳ ।