ଭାଣିଜୀକୁ ଦୁଷ୍କର୍ମ କଲା ମାମୁଁ

ଦେବଗଡ଼, ଏନ୍‌ଏନ୍‌ଏସ୍ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମରେ ଜଣେ ୨ୟ ଶ୍ରେଣୀରେ ପଢ଼ୁଥିବା ଶିଶୁ କନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ନେଇ ବାରକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଦୁଷ୍କର୍ମ ଓ ପକ୍ସ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ମାମୁଁ ହାଡ଼ି ନାୟକ ଫେରାର ହୋଇଯାଇଥିବାବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ମିଳିଥିବା ରିପୋର୍ଟ ମୁତାବକ, ଗତ ମଙ୍ଗଳବାର ସନ୍ଧ୍ୟାରେ ଘଟଣା ଘଟିଥିଲା । ଶିଶୁ ଭାଣିଜୀକୁ ଗାଁ ଛକ ପଟେ ବୁଲିବାକୁ ଡାକିନେଇ ଅଭିଯୁକ୍ତ ମାମୁଁ କେନ୍ଦୁପତ୍ର ଫଡ଼ିକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିବା ପରେ ଘଟଣା ସମ୍ପର୍କରେ କାହାରିକୁ କିଛି କହିଲେ ହତ୍ୟା ଧମକ ଦେଇ ଛାଡ଼ିଥିଲା । ଶିଶୁ କନ୍ୟାର ବାପା ଜିଲ୍ଲା ବାହାରେ କାମ କରୁଥିବାବେଳେ ଅଭିଯୁକ୍ତର ଧମକ ଯୋଗୁ ପରିବାର ଲୋକ ପାଟି ଫିଟାଉନଥିଲେ । ପରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୂଚନା ପାଇ ଗତକାଲି ସନ୍ଧ୍ୟାରେ ପୀଡ଼ିତାଙ୍କ ବାପା ଘରେ ପହଞ୍ଚି ରାତିରେ ପୀଡ଼ିତା ଶିଶୁ ଓ ତାଙ୍କ ମା’ ସହ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମଲା ରୁଜୁ ପରେ ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକ ତଦନ୍ତକାରୀ ଅଧିକାରୀଙ୍କ ସହ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ଶିଶୁ କନ୍ୟାର ଡାକ୍ତରୀ ମାଇନା ସହ ଚିକିତ୍ସା ଜାରି ରହିଥିବାବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ସମସ୍ତ ପ୍ରୟାସ ଜାରି ରଖିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।