ବଢ଼ିଲା ଯୁଦ୍ଧ ଆଶଙ୍କା: ଜରୁରୀ ‘ୟୁଏନ୍‌ଏସ୍‌ସି’ ବୈଠକ ପାଇଁ ୟୁକ୍ରେନ୍‌ର ଅନୁରୋଧ; ପୁଟିନ୍‌ଙ୍କ ସାହାଯ୍ୟ ଲୋଡ଼ିଲେ ‘ଡିପିଆର୍‌’ ଓ ‘ଏଲ୍‌ପିଆର୍‌’

କିଏଭ୍‌,ଏଜେନ୍ସି: ୟୁକ୍ରେନ୍‌ରୁ ବିଚ୍ଛିନ୍ନ ‌ହୋଇଯାଇଥିବା ଡୋନେତ୍‌ସ୍କ ଓ ଲୁଆନ୍‌ସ୍କ୍‌ର ମୁଖ୍ୟମାନେ ରୁଷୀୟ ରାଷ୍ଟ୍ରପତି ଭ୍ଳାଦିମିର୍‌ ପୁଟିନ୍‌ଙ୍କୁ ସାହାଯ୍ୟ ମାଗିବାରୁ ‘ଜାତିସଂଘ ନିରାପତ୍ତା ପରିଷଦ୍‌’ର ଜରୁରୀ ବୈଠକ ଡକାଇବାକୁ ୟୁକ୍ରେନ୍‌ ଅନୁରୋଧ କରିଛି।

ଟୁଇଟ୍‌ କରି ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି, ସାମରିକ ସହାୟତା ଯୋଗାଇ ଦେବାକୁ ଡୋନେତ୍‌ସ୍କ ଓ ଲୁଆନ୍‌ସ୍କ୍‌ ପ୍ରଶାସନ ରୁଷ୍‌କୁ ଅନୁରୋଧ କରିବାରୁ ୟୁକ୍ରେନ୍‌ ଜାତିସଂଘ ନିରାପତ୍ତା ପରିଷଦ୍‌ର ଜରୁରୀ ବୈଠକ ଡକାଇବାକୁ ଅନୁରୋଧ କରିଛି। ସେମାନଙ୍କୁ ରୁଷୀୟ ସହାୟତା ମିଳିଲେ ନିରାପତ୍ତା ପରିସ୍ଥିତି ଆହୁରି ଅସ୍ଥିର ହୋଇଉଠିବ।

କୁଲେବା ବ୍ୟତୀତ, ‘ୟୁରୋପିଆନ୍‌ ୟୁନିୟନ୍‌’ ବୈଦେଶିକ ବ୍ୟାପାରର ‘ହାଇ ରିପପ୍ରଜେନ୍‌ଟେଟିଭ୍‌’ ଜୋସେପ୍‌ ବୋରେଲ୍‌ ଫଣ୍ଟେଲେସ୍‌ ଟୁଇଟ୍‌ କରି କହିଛନ୍ତି ଯେ, ସହାୟତା ନିମନ୍ତେ ବିଚ୍ଛିନ୍ନାଞ୍ଚଳ ଡୋନେତ୍‌ସ୍କ ଓ ଲୁଆନ୍‌ସ୍କ୍‌ର ଅନୁରୋଧ ହଜାର ହଜାର ଜୀବନ ବିପନ୍ନ କରିବା ଆଶଙ୍କା ଥିବା ଗୋଟାଏ ଅତ୍ୟନ୍ତ ବିପଜ୍ଜନକ ତଥା ଅତିରିକ୍ତ ପଦକ୍ଷେପ। ତେଣୁ, ଅଧିକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଗ୍ରହଣ ନ କରିବାକୁ ‘ୟୁରୋପିଆନ୍‌ ୟୁନିୟନ୍‌’ ରୁଷ୍‌କୁ କହିଛି।

ସୂଚନାଯୋଗ୍ୟ, ବୁଧବାର ଦିନ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରି ୟୁକ୍ରେନ୍‌ ରୁଷ୍‌ରେ ଥିବା ନିଜର ନାଗରିକମାନଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିବାର କିଛି ସମୟ ପରେ ଲଣ୍ଡନ୍‌ସ୍ଥିତ ରୁଷୀୟ ଦୂତାବାସ ସମ୍ମୁଖରେ ଅସଂଖ୍ୟ ପ୍ରତିବାଦକାରୀ ସମବେତ ହୋଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ରତିବାଦକାରୀମାନେ ଜର୍ଜିଆ ଏବଂ ବେଲାରୁଷିଆର ପତାକା ସହ ୟୁକ୍ରେନ୍‌ର ପତାକା ଉଡ଼ାଇବା ସହ ୟୁକ୍ରେନ୍‌ ମାମଲାରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ନିବୃତ ରୁହନ୍ତୁ ବୋଲି ନିବେଦନ କରିଥିଲେ।