ଆଜି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ୪୮ଟି ବ୍ଲକରେ ଚାଲିଛି ଭୋଟିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ୨୫ ଟି ଜିଲ୍ଲାର ୪୮ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେଉଛି। ମୋଟ୍ ୯୭୫ଟି ପଞ୍ଚାୟତରେ ଆଜି ମତଦାନ ଜାରି ରହିଛି।

ଭୋଟରମାନେ ସକାଳୁ ଲମ୍ବା ଲାଇନ୍ କରି ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି। ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେଉଥିବା ବେଳେ ୫୨୦ ଜଣ ପ୍ରାର୍ଥୀ ଲଢୁଛନ୍ତି।

ପ୍ରାୟ ୪୧ ଲକ୍ଷରୁ ଅଧିକ ମତାଦାତା ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ପୂର୍ବରୁ ୪ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି।

ସୂଚନାଯୋଗ୍ୟ, ପ୍ରଥମ ତିନୋଟି ପର୍ଯ୍ୟାୟରେ ଅନେକ ହିଂସା ଘଟଣା ସାମ୍ନାକୁ ଆସିଥିଲା। ତେବେ ଚତୁର୍ଥରେ ସେତେଟା ହିଂସା ଦେଖିବାକୁ ମିଳିନଥିଲା। ଆଜି ମଧ୍ୟ ଶାନ୍ତି ସୃଙ୍ଖଳାର ସହ ନିର୍ବାଚନ ହେବ ବୋଲି ଆଶା କରାଯାଉଛି।

ଆସନ୍ତା ୨୬, ୨୭ ଓ ୨୮ ତାରିଖରେ ରାଜ୍ୟରେଭୋଟ୍ ଗଣନା ହେବାକୁ ଯାଉଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଜି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁସାରେ ଏଥର ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣନା ହେବ।

ପ୍ରତି ଜୋନରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ ନନ ଷ୍ଟପ ଗଣନା ହେବା ସହ ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଙ୍ଗ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଡ କାଉଣ୍ଟିଙ୍ଗ ଅଫିସର ଏବଂ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ।

କେଉଁ ଟିମ କେଉଁ ଟେବୁଲରେ ବିସିବେ ସେ ନେଇ ଗୁଲା ପଡିବ। ଜଣେ ପ୍ରାର୍ଥୀଙ୍କ ଜଣେ ମାତ୍ର ଏଜେଣ୍ଟ ରହିପାରିବେ ଗଣନା ସମୟରେ। ଯେତେ ଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ପାଇଁ ରହିବ।

ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯିବ।