ବୈଶିଙ୍ଗା,ଏନ୍ଏନ୍ଏସ୍: ପହିଲା ବୈଶାଖୀରେ ମହୁରୀ ଉଡା ଯାତ୍ରା କାହିଁ କେଉଁ ଆବାହନ କାଳରୁ ପାଳିତ ହୋଇ ଆସୁଅଛି ତାହାର ହିସାବ ନାହିଁ। ବର୍ତ୍ତମାନ ଗ୍ରାମର ଥିବା ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ତାଙ୍କ ବାପା ଜେଜେ ବାପାଙ୍କ ଅମଳରୁ ଗ୍ରାମ ଦେବତୀ ମା ବାସୁଳୀ ଆବିର୍ଭୁତ ହୋଇ ପୂଜା ପାଇ ଆସୁଥିଲେ। ଗ୍ରାମ ତଥା ଅଞ୍ଚଳର ଲୋକ ମାନଙ୍କ ସୁଖ ଶାନ୍ତି ପାଇଁ ମା’ ବାସୁଳୀଙ୍କ ଉଦେଶ୍ୟରେ ତତ୍କାଳୀନ ଗ୍ରାମ ବାସୀଙ୍କ ଦ୍ଵାରା ଏହି ଉଡା ଯାତ୍ରା ଆରମ୍ଭ ହୋଇଥିଲା। ମା’ ବାସୁଳୀଙ୍କର ସାତ ଭଉଣୀଙ୍କୁ ପରିବର୍ତ୍ତୀ ସମୟରେ ଗ୍ରାମର ଅନ୍ୟ ସ୍ଥାନରେ ଆସ୍ଥାନ କରି ପୂଜା କରାଯାଉଥିଲା। ସେହିଦିନ ଠାରୁ ମା ଥାନଶୀର,ଜାମଶୀର, କାଳିକା, ବଡ଼ାମ, ମନ୍ଦାରମଣି, କନକ ଦୁର୍ଗା, ବାହୁତୀ ପୂଜା ପାଇ ଆସୁଛନ୍ତି। ବହୁ ବର୍ଷ ପରେ ମହାଦେବ ମନ୍ଦିର ନିର୍ମାଣ କରାଯାଇ ଥାନ ପତି ଭାବେ ମୁକ୍ତେଶ୍ଵର ମହାଦେବଙ୍କୁ ସ୍ଥାପନା କରାଯାଇଥିଲା।

ଏହି ଉଡା ଯାତ୍ରା ପହିଲା ବୈଶାଖୀର ୧୩ ଦିନ ପୂର୍ବରୁ ଭକ୍ତା ମାନେ ଶୁଦ୍ଧପୁତ ଭାବେ ହବିଷାନ୍ନ କରି ଏକାଙ୍ଗୀ ଭାବେ ଭକ୍ତା ମଣ୍ଡପରେ ରହିଥାଆନ୍ତି। ପ୍ରଥମ ଦିନରୁ ମହାଦେବ ଶିବ ଏବଂ ପାର୍ବତୀଙ୍କର ଅନ୍ୟ ରୂପ ବାସୁଳୀଙ୍କୁ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ପଇତା ଧାରଣ କରିଥାଆନ୍ତି। ପହିଲା ବୈଶାଖୀର ପୂର୍ବ ରାତ୍ରୀରେ ନିଶା ଘଟ ଗ୍ରାମ ପୁଷ୍କରିଣୀରୁ ନିଶା ଘଟ ଉତ୍ତୋଳନ କରି ଦଣ୍ଡ ନୃତ୍ୟ ଏବଂ ଢୋଲ ବାଦ୍ୟ ବଜାଇ ମଣ୍ଡପ ପ୍ରାଙ୍ଗଣରେ ରଖି ସାରା ରାତି ପୂଜାର୍ଚ୍ଚନାରେ ଭକ୍ତାମାନେ ନିଜକୁ ନିୟୋଜିତ କରିଥାଆନ୍ତି। ପଣା ସଂକ୍ରାନ୍ତି ପ୍ରାତଃରୁ ପୋଖରୀରୁ ସ୍ନାନ ସାରି ଗ୍ରାମ ପରିକ୍ରମା କରିଥାଆନ୍ତି। ଅପରାହ୍ନରେ ପ୍ରଥମେ ଏହି ଭକ୍ତା ମାନେ କଣ୍ଟାପାଟ, ଝୁଲାପାଟ ଓ ନିଆଁପାଟ ପରେ ପୁଣି ପୁଷ୍କରିଣୀରେ ସ୍ନାନ ସାରି ମଣ୍ଡପରେ ପହଞ୍ଚିବା ପରେ ରାତ୍ରୀରେ ନିଶାଘଟକୁ ଗ୍ରାମ ପରିକ୍ରମା କରିଥାନ୍ତି।
