କୋଲକାତା,ଏଜେନ୍ସି: ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ଜମି ବିବାଦ ଘଟଣା । ବିଶ୍ବ ଭାରତୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅମର୍ତ୍ତ୍ୟଙ୍କୁ ଜାରି ହେଲା ୩ଟି ନୋଟିସ୍ । ବେଆଇନ ଭାବେ ଅନ୍ୟ ଜମିରେ ଘର କରିଥିବାରୁ ଉକ୍ତ ଘର ଛାଡ଼ିବାକୁ ଅମର୍ତ୍ତ୍ୟଙ୍କୁ ନୋଟିସ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ଅମର୍ତ୍ତ୍ୟଙ୍କ ବାସଭବନ ‘ପ୍ରାତିଚି’ ଉକ୍ତ ଜମିରେ ନିର୍ମାଣ ହୋଇଥିଲା । ବିଶ୍ବ ଭାରତୀ କର୍ତ୍ତୃପକ୍ଷ ଅମର୍ତ୍ତ୍ୟଙ୍କ ଜମିଜମା ବିବାଦ ଘଟଣାରେ ଶେଷ ନିଷ୍ପତ୍ତି ଆସନ୍ତା ୧୯ ତାରିଖରେ ଘୋଷଣା କରିବେ ବୋଲି ଜଣାପଡ଼ିଛି ।
ଅମର୍ତ୍ତ୍ୟଙ୍କ ଘର ବାହାରେ ଲାଗିଥିବା ନୋଟିସ ଅନୁଯାୟୀ ଶାନ୍ତିନିକେତନରେ ଥିବା ତାଙ୍କ ପ୍ରାତିଚି ବଙ୍ଗଳାଟି ୧୩ ଡିସେମାଲ ଅଧିକ ଜମିରେ ନିର୍ମିତ ହୋଇଛି । ଯାହାକି ବିଶ୍ବ ଭାରତୀ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଛି । ଏହି ଜମିରେ ତାଙ୍କର ବେଆଇନ ଭାବେ ଘର ନିର୍ମାଣ କରିଛନ୍ତି । ଏନେଇ ଅନେକ ଦିନରୁ ବିଶ୍ବ ଭାରତୀ କୁଳପତି ବିଦ୍ୟୁତ ଚକ୍ରବର୍ତ୍ତୀ ଲଗାତାର ଭାବେ ଅଭିଯୋଗ କରିଆସୁଥିଲେ । ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅମର୍ତ୍ତ୍ୟଙ୍କୁ ସମର୍ଥନ କରିଥିଲେ । ମାତ୍ର ସବଡିଭିଜନାଲ ରୁଲର କୋର୍ଟ ଉଚ୍ଛେଦ ଲାଗି ଏହି ନୋଟିସ ଜାରି କରିଛନ୍ତି ।