ଇରାନକୁ ସମର୍ଥନ ପାଇଁ ରୁଷିଆ ଓ ଚୀନ୍ କମ୍ପାନୀ ଉପରେ ଆମେରିକାର କଟକଣା

ୱାଶିଂଟନ୍,ଏଜେନ୍ସି: ଇରାନର ଆଣବିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବାରୁ ରୁଷିଆ ଓ ଚୀନର ଚାରୋଟି କମ୍ପାନୀ ଉପରେ ଆମେରିକା କଟକଣା ଜାରି କରିଛି। ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପେଓ କହିଛନ୍ତି, ଆଣବିକ ନିରସ୍ତ୍ରୀକରଣକୁ ଦୃଷ୍ଟିରେ ରଖି ଚୀନର ଚେଙ୍ଗ୍ଡୁ ବେସଡ ନ୍ୟୁ ମାଟେଲିଇଆଲ୍ସ କମ୍ପାନୀ ଲିମିଟେଡ୍ ଓ ଜୀବୋ ଏଲିମ୍ ଟ୍ରେଡ୍ କୋ ଲିମିଟେଡ୍ ଏବଂ ରୁଷିଆର ନିଲଫାମ୍ ଖଜର କମ୍ପାନୀ ଓ ଜଏଣ୍ଟ ଷ୍ଟକ୍ କମ୍ପାନୀ ଏଲକନ୍ ବିରୋଧରେ କଟକଣା ଜାରି ହୋଇଛି। ୨୦୧୮ରେ ଇରାନ୍ ସହ ପରମାଣୁ ଚୁକ୍ତିରୁ ଆମେରିକା ଓହରି ଯାଇଥିଲା। ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଥିଲେ ଏବଂ ଇରାନ ଠାରୁ ତୈଳ ଆମଦାନୀ ହ୍ରାସ କରିବାକୁ ସେ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ଆହ୍ୱାନ ଦେଇଥିଲେ।