ଜମ୍ମୁ/ଶ୍ରୀନଗର,ଏଜେନ୍ସି: ୨୦୧୯ ଅଗଷ୍ଟରେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବାପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର କୌଣସି ନିର୍ବାଚନ ଅନୁଷ୍ଠିତ ହୋଇଛି । ଶନିବାର ଏଠାରେ ପୌର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରକ୍ରିୟା ଯଥାସମ୍ଭବ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ଜଣାପଡିଛି । ପ୍ରବଳ ଶୀତ ଓ କୋହଲା ପାଗ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ମାତ୍ର ୨୨.୧୨ ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ପ୍ରାରମ୍ଭରେ ଭୋଟରଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା । ତେବେ ଦିନ ବଢିବା ସାଙ୍ଗକୁ ଭୋଟଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । କଶ୍ମୀର ଘାଟୀରେ ଆତଙ୍କବାଦର କଳାବାଦଲ ସବୁବେଳେ ଢାଙ୍କି ରହିଥିଲେ ସୁଦ୍ଧା ଭୋଟରମାନେ ଏହାକୁ ବେଖାତିର କରି ଭୋଟ ଦେବାକୁ ବିଶେଷ ଆଗ୍ରହ ପ୍ରକାଶ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ପୌର ନିର୍ବାଚନର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ନିର୍ବାଚନ ଦାୟିତ୍ୱରେ ଥିବା ବିଜେପି ପର୍ଯ୍ୟବେକ୍ଷକ ଅନୁରାଗ ଠାକୁର କହିଛନ୍ତି । ପ୍ରଥମ ପର୍ଯ୍ୟାୟ ପାଇଁ ଗୁରୁବାର ପ୍ରଚାର କାର୍ଯ୍ୟର ଶେଷ ଦିବସ ଥିଲା । କୋଭିଡ୍ କଟକଣା ମଧ୍ୟରେ ଭୋଟରଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ।
ପ୍ରଥମ ପର୍ଯ୍ୟାୟରେ ୧୪୭୫ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତିି । ପ୍ରାୟ ୭ ଲକ୍ଷ ଭୋଟରଙ୍କ ପାଇଁ ୨୬୪୪ଟି ଭୋଟଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଏହି ନିର୍ବାଚନରେ ମୁଖ୍ୟତଃ ବିଜେପି, ଗୁପ୍କାର ଓ ଅପ୍ନି ପାର୍ଟି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ପିଡିପି ଓ ନ୍ୟାସନାଲ କନ୍ଫରେନ୍ସ ସମେତ ଅନ୍ୟ କେତେକ ଆଞ୍ଚଳିକ ଦଳକୁ ନେଇ ଗୁପ୍କାର ପାର୍ଟି (ପିପୁଲ୍ସ ଆଲାଏନ୍ସ ଫର୍ ଗୁପ୍କାର ଡିକ୍ଲାରେସନ) ଗଠିତ ହୋଇଥିବାବେଳେ ଜମ୍ମୁ କଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ଅଲତାଫ୍ ବୁଖାରୀ ଅପ୍ନି ପାର୍ଟି ପ୍ରତିଷ୍ଠା କରିଛନ୍ତି । ଜମ୍ମୁ-କଶ୍ମୀରରେ ୨୮୦ଟି ପୌର ଆସନ ନିମନ୍ତେ ଆଠଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗହଣ କରାଯାଉଛି । ଏଥିସହିତ ୧୨୧୫୩ଟି ପଞ୍ଚାୟତ ଆସନରେ ଏକାସାଙ୍ଗରେ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି । ଏଥିମଧ୍ୟରୁ ୧୧,୮୧୪ଟି ଆସନ କଶ୍ମୀର ଘାଟୀରେ ଥିବାବେଳେ ଅବଶିଷ୍ଟ ଜମ୍ମୁ ଅଞ୍ଚଳରେ ରହିଥିବା ପ୍ରକାଶ ।