ନନ୍ଦାହାଣ୍ଡି ବ୍ଲକରେ ଥମୁନି ଝାଡ଼ାବାନ୍ତି, ରବିବାର ପୁଣି୯ ଆକ୍ରାନ୍ତ

ନବରଙ୍ଗପୁର,ଏନ୍ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖଡ଼ିଆଗୁଡା ଏବଂ ପିତାକୁମୁଲି ଗ୍ରାମରେ ଝାଡ଼ାବାନ୍ତି ଥମିବାର ନାଁ ଧରୁନି। ରବିବାର ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍‌ ୧୭ ଜଣ ଦୁଇ ଦିନରେ ଆକ୍ରାନ୍ତ ହେଲେଣି। ରବିବାର ସେଠାକୁ ଡାକ୍ତରୀ ଟିମ୍ ଯାଇ ସ୍ଥିତି ପରଖିବା ସହ ଆବଶ୍ୟକୀୟ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି। ବି. ମାଳିଗୁଡା ଗ୍ରାମରେ ରବିବାର ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଶନିବାର ୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଗାଁ’ରେ ଅନ୍ୟ କାହାକୁ ଝାଡ଼ାବାନ୍ତି ହୋଇ ଗୁରୁତର ହେବା ପୂର୍ବରୁ ଚିକିତ୍ସା ଯୋଗେଇବା ପାଇଁ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ସତର୍କ ଏବଂ ପ୍ରସ୍ତୁତ ଅଛନ୍ତି ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ବୋଲି ଡାକ୍ତର ବିକାଶ ବାରିକ କହିଛନ୍ତି। ସମସ୍ତଙ୍କ ଠାରୁ ରେକଟଲ ସ୍ୱାବ ସଂଗ୍ରହ କରାଯାଇଛି ଏବଂ ତାହାର ରିପୋର୍ଟ ଆସିବା ପରେ ଏହା ହଇଜା ନା ଫୁଡ଼ପଏଜନିଂ ତାହା ଜଣାପଡିବ ବୋଲି ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ. କାଳୀ ପ୍ରସାଦ ବେହେରା ସୂଚନା ଦେଇଛନ୍ତି।