ଦାରିଙ୍ଗବାଡ଼ିରେ ପ୍ଲାଷ୍ଟିକ ଅଣ୍ଡା, ରୋଷେଇ ବେଳେ ଅଣ୍ଡା ଫାଟି ୨ ମହିଳା ଆହତ

ଫୁଲବାଣୀ,ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଛି। ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ୨ ଜଣ ମହିଳା ଘରେ ଅଣ୍ଡା ରୋଷେଇ କରିବା ସମୟରେ ଅଣ୍ଡା ଫାଟିଥିଲା। ଫଳରେ ୨ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତ ମହିଳାମାନେ ଗ୍ରାମର ପ୍ରିସ୍କିନା ପ୍ରଧାନ ଏବଂ ପ୍ରଣିତା ପ୍ରଧାନ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ ଗତକାଲି ପ୍ରିସ୍କିନାଙ୍କ ସ୍ୱାମୀ ଅଶ୍ୱିନୀ ପ୍ରଧାନ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଦୋକାନରୁ ୬୦ଟି ଅଣ୍ଡା ଘରକୁ ଆଣିଥିଲେ। ଆଜି ସେହି ଅଣ୍ଡା ମଧ୍ୟରୁ ପ୍ରିସ୍କିନା ରୋଷେଇ କରିବା ପାଇଁ ଅଣ୍ଡା ସିଝାଇବା ପରେ ତେଲରେ ଭାଜିବା ସମୟରେ ଅଣ୍ଡାଗୁଡ଼ିକ ଫାଟିଥିଲା। ଫଳରେ ରୋଷେଇ କରୁଥିବା ପ୍ରିସ୍କିନା ଏବଂ ପାଖରେ ଥିବା ପ୍ରଣିତାଙ୍କ ଆଖି ଓ ହାତରେ ଗରମ ତେଲ ପଡ଼ିଥିଲା। ଫଳରେ ସେମାନଙ୍କ ଆଖି ଓ ହାତରେ ଫୋଟକା ହୋଇଯାଇଥିଲା।

ଘର ଲୋକମାନେ ବଳକା ଅଣ୍ଡାଗୁଡ଼ିକୁ ହାତରେ ଧରି ତଳେ ପକାଇବାରେ ଏହା ବଲ ପରି ଡେଉଁଥିବା ଦେଖିବାକୁ ମିଳିଥିଲା। ଏ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତେବେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଞ୍ଚଳବାସୀ ଅଣ୍ଡା ଖାଇବାକୁ ଭୟ କରୁଛନ୍ତି। ଏହି ଅଣ୍ଡାଗୁଡ଼ିକ ପ୍ରକୃତ ଅଣ୍ଡାଠାରୁ ଦେଖିବାକୁ ଆକାରରେ ଛୋଟ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଗୋଲ ରହୁଥିବା ଦେଖିବାକୁ ମିଳିଛି। ସେହିପରି ଆହତ ହୋଇଥିବା ମହିଳାମାନେ ଚିକିତ୍ସା ପରେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି।