ଗୋଶାଳାରେ ପହଞ୍ଚିଲେ ୮୮ ଗୋରୁ: ୨ ମୃତ, ୭ ଅସୁସ୍ଥ

ନୟାଗଡ଼,ଏନ୍ଏନ୍ଏସ୍: ଦୀର୍ଘବର୍ଷ ଧରି ଖଣ୍ଡପଡ଼ା, ଗଣିଆ ଓ ଦଶପଲ୍ଲା ଅଞ୍ଚଳରୁ ସୁଦୂର କଲିକତାକୁ ଟ୍ରକ ଯୋଗେ ଗୋରୁ ଚାଲାଣ ହୋଇଆସୁଛି। ତେବେ ଗତ ୨୫ ତାରିଖ ରାତିରେ ଖଣ୍ଡପଡ଼ା ଥାନା ଓ କଣ୍ଟିଲୋ ଫାଣ୍ଡି ପୁଲିସ ମିଳିତ ଚଢ଼ଉ କରି ବାଣପୁର ଗ୍ରାମ ନିକଟରୁ ଗୋରୁ ବୋଝେଇ ୭ଟି ଟ୍ରକ ଓ ଗୋଟିଏ ପିକ୍‌ଅପ୍ ଭ୍ୟାନ ଜବତ କରିଥିଲେ। ସେହି ସମୟରେ ଉକ୍ତ ଗାଡ଼ିରୁ ୮୮ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଥିଲା। ଏଥିସହିତ ପୁଲିସ ୨ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା।

ଉଦ୍ଧାର କରାଯାଇଥିବା ସମସ୍ତ ଗୋରୁଙ୍କୁ ଖଣ୍ଡପଡ଼ା ବ୍ଳକର କିଆଝର ପଞ୍ଚାୟତ ଅଧୀନ ଗିରିଡ଼ିପଲ୍ଲୀ ଜୀବ ବିକାଶ ପରିଷଦର ଗୋଶାଳାକୁ ପଠାଯାଇଥିଲା। ତେବେ ବାଟରେ ୨ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଟି ଗୋରୁ ଏବେ ସମ୍ପୂର୍ଣ୍ଣ ଅସୁସ୍ଥ ଥିବା ଗୋଶାଳାର ମୁଖ୍ୟ ପରିଚାଳକ ଦୁର୍ଯ୍ୟୋଧନ ପରିଡ଼ା ସୂଚନା ଦେଇଛନ୍ତି। ଖବରପାଇ ଖଣ୍ଡପଡ଼ା ପ୍ରାଣୀ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ବେହେରା ଓ ସହଯୋଗୀମାନେ ଗୋଶାଳାରେ ପହଞ୍ଚି ସମସ୍ତ ଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ସାଲାଇନ ଓ ଆନୁସାଙ୍ଗିକ ଔଷଧ ପ୍ରଦାନ କରିଥିବା ଜଣାପଡ଼ିଛି।