ତେଲ ନଦୀ ବ୍ରିଜ ଉପରେ ସ୍କୁଟି ରଖି ଦୁଇ ଯୁବତୀ ନିଖୋଜ

ଦେଓଗାଁ,ଏନ୍ଏନ୍ଏସ୍ : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତୁଷୁରା-ଗୁଡ଼ଭେଳା ରାସ୍ତାରେ ଥିବା ତେଲ ନଦୀ ବ୍ରିଜ ଉପରେ ସ୍କୁଟି ରଖି ୨ଜଣ ଯୁବତୀ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ୨ଜଣ ଯୁବତୀ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା କେହି ଅପହରଣ କରିନେଇଛି ସେନେଇ ତୁଷୁରା ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ନିଖୋଜ ହୋଇଥିବା ଯୁବତୀମାନେ ବ୍ରିଜ ଉପରେ ଥିବା ସ୍କୁଟି(ଓଡ଼ି ୦୩ ଡ଼ି ୧୪୨୦)ରେ ଦୁଇ ହଳ ଚପଲ ଥିବାରୁ ସନ୍ଦେହ ଅଧିକ ଘନୀଭୂତ ହୋଇଛି। ଏହି ଯୁବତୀ ୨ଜଣ ଗୁଡ଼ଭେଳାର ଜଣେ ବ୍ୟବସାୟୀଙ୍କ ପରିବାରରୁ ହୋଇଥିବା ନେଇ ଆଲୋଚନା ହେଉଛି। ଗୁଡ଼ଭେଳା ଅଗ୍ନିଶମ ବାହିନୀ ପହଞ୍ଚି ତେଲ ନଦୀ ଭିତରେ ଏକ ବୋଟ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଦେଇଛନ୍ତି।