ବଡ଼ୋଦରାରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ୧୧ ମୃତ

ଅହମ୍ମଦାବାଦ,ଏଜେନ୍ସି: ଗୁଜୁରାଟର ବଡ଼ୋଦରାଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ବଡ଼ୋଦରାର କ୍ରସିଂ ରାଜପଥରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣା ସମୟରେ ନିକଟରେ ପାଖାପାଖି ୩୦ ଜଣ ସ୍ଥାନୀୟ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଯେଉଁଥିରେ ଉଭୟ ଗାଡ଼ିର ଡ୍ରାଇଭର ଓ ହେଲପର ଅଛନ୍ତି। ଅନ୍ୟ ୨ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ୧୫ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ କିଛି ଲୋକ ଟ୍ରକ ମଧ୍ୟରେ ଚାପି ହୋଇ ରହିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।