ଶପଥ ନେଲେ ବାଲେଶ୍ୱର ଓ ତିର୍ତ୍ତୋଲରୁ ନବନିର୍ବାଚିତ ୨ ବିଧାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୦ ତାରିଖ ବିଧାନସଭାରେ ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ। ଏନେଇ ଆଜି ବିଧିବଦ୍ଧ ଭାବେ ତିର୍ତ୍ତୋଲ ଓ ବାଲେଶ୍ୱର ସଦରର ନବନିର୍ବାଚିତ ବିଧାୟକ ଶପଥ ନେଇଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଭୟ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସଙ୍କୁ ଶପଥ ପାଠ କରାଛନ୍ତି।

ସୂଚନା ଅନୁସାରେ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ଯୋଗୁଁ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ହୋଇଥିଲା।୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ଦାସ ୪୦୩୮୬ଖଣ୍ଡ ଭୋଟରେ ବିଜୟୀ ହୋଇଥିବାବେଳେ ତାଙ୍କ ପୁଅ ଚଳିତ ଉପନିର୍ବାଚନରେ ୪୧,୭୦୩ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଏହି ଆସନରେ ବିଜେଡିକୁ ସର୍ବାଧିକ ୫୨.୯୧ ପ୍ରତିଶତ ଭୋଟ୍ ମିଳିଥିବାବେଳେ ବିଜେପିକୁ ୨୭.୯୨% , କଂଗ୍ରେସକୁ ୧୭.୨୪ ପ୍ରତିଶତ ଭୋଟ୍ ମିଳିଥିଲା।

ସେହିପରି, ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ୧୩,୩୫୧ଟି ଭୋଟରେ ପରାଜିତ କରିଥିଲେ। ବିଜେଡିର ସ୍ୱରୂପଙ୍କୁ ମୋଟ୍ ୮୪,୦୯୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିର ମାନସଙ୍କୁ ୭୦୭୪୬ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଓ ବହୁଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମଧ୍ୟ ନିଜର ଅମାନତ ହରାଇଥିଲେ।