ଆଉ ଏକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ

ନୂଆଦିଲ୍ଲୀ,ଏଜେନ୍ସି: ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପରେ ମହାରାଷ୍ଟ୍ରର ଜଲନାରେ ଥିବା ମନ୍ତା ଅର୍ବନ କୋଅପରେଟିଭ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୬ ମାସ ପାଇଁ ପ୍ରତିବନ୍ଧକ ଲଗାଇଛି। ଆରବିଆଇର ନିର୍ଦ୍ଦେଶ ଅନୁସାରେ ଏହି ବ୍ୟାଙ୍କ ଆରବିଆଇର ଅନୁମତି ବିନା କୌଣସି ଋଣ ଦେଇପାରିବ ନାହିଁ କିମ୍ବା ନୂତନ ଜମା ଗ୍ରହଣ କରିପାରିବ ନାହିଁ। ସେହିପରି ଏହି ବ୍ୟାଙ୍କ କୌଣସି ଆର୍ଥିକ ନେଣଦେଣ କରିପାରିବ ନାହିଁ।

ସୂଚନା ଥାଉ କି ଗତକାଲି ରିଜର୍ଭ ବ୍ୟାଙ୍କର ଅନୁରୋଧ କ୍ରମେ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଭିତ୍ତିକ ଘରୋଇ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଟଙ୍କା ଉଠାଣ ଉପରେ କଟକଣା ଲଗାଇଥିଲେ।

ଫଳରେ ରିଜର୍ଭ ବ୍ୟାଙ୍କର ଅନୁମତି ବିନା ବ୍ୟାଙ୍କ ପକ୍ଷରୁ କୌଣସି ଜମାକାରୀ ୨୫ ହଜାର ଅଧିକ ଟଙ୍କା ଜମା କରିବା କିମ୍ବା ଉଠାଇ ପାରିବେ ନାହିଁ। ୨୫ ହଜାର ଟଙ୍କାରୁ ଅଧିକ ଅର୍ଥ ଡାକ୍ତରୀ ଚିକିତ୍ସା, ଉଚ୍ଚ ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଆଦି ବାବଦରେ ଉଠାଇ ହେବ। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘରୋଇ ୟେସ ବ୍ୟାଙ୍କ ବିରୋଧରେ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପରେ ୟେସ୍ ବ୍ୟାଙ୍କକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ୱରେ ଉଦ୍ଧାର କରାଯାଇଥିଲା।