ବିଷାକ୍ତ ମଦ୍ୟପାନ କରି ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ରେଙ୍ଗା ଗ୍ରାମରେ ବିଷାକ୍ତ ମଦ୍ୟପାନ କରି ୨ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଦୁଇ ମୃତକ ହେଲେ ବିଶୁ ଝୋଡିଆ(୪୮) ଓ ଧନେଶ୍ୱର ଝୋଡିଆ(୫୨)। ଗତକାଲି ବିଳମ୍ବିତ ରାତିରେ ଏହି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ପରେ ଆଜି ବିଶୁ ଓ ଧନେଶ୍ୱରଙ୍କ ଶେଷକୃତ୍ୟ ଗାଁ ମଶାଣିରେ କରାଯାଇଛି। ଏତେ ବଡ ଘଟଣା ସମ୍ପର୍କରେ ଅବକାରୀ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ଖବରପାଇ କାଶୀପୁର ପୁଲିସ ରେଙ୍ଗା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ନିର୍ବାଚନ ପାଇଁ ଅବାଧରେ ଗାଁ ଗାଁ ରେ  ମଦ ବିକ୍ରି ଚାଲିଛି। ଏହି ଦୁଇ ଜଣ ଚୋରାରେ ବିକ୍ରି ହେଉଥିବା ଦେଶୀ ମଦ ଗତ ଦୁଇ ଦିନ ଧରି ପିଉଥିଲେ। ଗତକାଲି ସନ୍ଧ୍ୟାରେ ମଧ୍ୟ ବିଶୁ ଓ ଧନେଶ୍ୱର ଦେଶୀ ମଦ  ପାନ କରିଥିଲେ। ମଦ ପିଇବା ପର ଉଭୟେ ଘରକୁ ଯାଇଥିଲେ। ଘରେ ବିଳମ୍ବିତ ରାତିରେ ଉଭୟେ ମୃତ୍ୟୁବରଣ କରିଥିଲେ। ଏହା ଜଣାପଡିବା ପରେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କ ଶବକୁ ଗାଁ’ ମଶାଣିରେ ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି। ତେବେ ଜିଲ୍ଲାପାଳ କହିଛନ୍ତି ଘଟଣା ସମ୍ପର୍କରେ ସୂଚନା ମିଳିନାହିଁ। ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ଏବଂ ତ୍ରୀସ୍ତରୀୟ ପଞ୍ଚାଯତ ନିର୍ବାଚଙ୍କୁ ଦୃଷ୍ଟିରେ ରଖି କିଭଳି ଚୋରା ମଦ ବିକ୍ରି ବନ୍ଦ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର।