ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଖସିଗଲେ ଦୁଇ ଆତଙ୍କବାଦୀ

କାଶ୍ମୀର,ଏଜେନ୍ସି: ଜାମ୍ମୁ-କଶ୍ମୀରର ବଡ଼ଗାମ ଜିଲ୍ଲାରେ ଗୁରୁବାର ସକାଳେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରୁଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇଯିବାରେ ସମର୍ଥ ହୋଇଛନ୍ତି।

ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁରୁବାର ସକାଳେ ନିରାପତ୍ତା ବଳ ସୂଚନା ପାଇବା ପରେ ବଡ଼ଗାମ ଅନ୍ତର୍ଗତ ପଠାନପୋରା ଅଞ୍ଚଳରେ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଚଳାଇଥିଲା। ଏହି ସମୟରେ ଆତ୍ମଗୋପନ କରିଥିବା ସ୍ଥାନରେ ନିରାପତ୍ତା ବଳ ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଫଳରେ ଜାମ୍ମୁ ଓ କଶ୍ମୀର ପୁଲିସ ଓ ନିରାପତ୍ତା ବଳର ଯବାନମାନେ ପାଲଟା ଗୁଳି ଚଳାଇଥିଲେ।

କିନ୍ତୁ ନିରାପତ୍ତା ବଳଙ୍କ ସହ ଅଳ୍ପ ସମୟ ଗୁଳି ବିନିମୟ କରିବା ପରେ ଦୁଇ ଆତଙ୍କବାଦୀ ଗ୍ରେନେଡ୍ ଫିଙ୍ଗି ଘଟଣାସ୍ଥଳରୁ ଖସି ପଳାଇବାରେ ସମର୍ଥ ହୋଇଥିଲେ। ଘଟଣାସ୍ଥଳରୁ ନିରାପତ୍ତା ବଳର ଯବାନମାନେ ଗୋଟାଏ ପିସ୍ତଲ, ଏକେ ରାଇଫଲ୍‌ର ଛଅଟି ମାଗାଜିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ରବିବାରକୁ ମିଶାଇ ଏହା ହେଉଛି କଶ୍ମୀରରେ ଚତୁର୍ଥ ଏନ୍‌କାଉଣ୍ଟର୍। ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ହୋଇଥିବା ଗତ ତିନିଟି ଏନ୍‌କାଉଣ୍ଟର୍‌ରେ ୧୪ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।