ହାତୀଦାନ୍ତ ବିକ୍ରି ବେଳେ ବନବିଭାଗର ଚଢ଼ଉ: ୨ ହାତୀ ଦାନ୍ତ ଜବତ, ୨ ଗିରଫ

ଦେବଗଡ,ଏନ୍ଏନ୍ଏସ୍: ହାତୀଦାନ୍ତ ବିକ୍ରି ପାଇଁ ଉଦ୍ୟମ ବେଳେ ଦେବଗଡ଼ ବନବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ୨ ଜଣ ତସ୍କରଙ୍କୁ ଗିରଫ କରିଛି ବନବିଭାଗ। ସେମାନଙ୍କ ପାଖରୁ ୨ଟି ହାତୀ ଦାନ୍ତ ଜବତ ହୋଇଛି। ଗିରଫ ତସ୍କାର ମାନେ କଂସର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୁତେଲ ଗ୍ରାମର ପବିତ୍ର ମାଝୀ(୪୧) ଓ ମନଫୁଲ ମାଝୀ(୩୨)। ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ବନାଞ୍ଚଳ ଅନ୍ତର୍ଗତ କଂସର ସେକ୍ସନ ଅଞ୍ଚଳରେ ହାତୀ ଦାନ୍ତ ବିକ୍ରି ହେଉଥିବା କୌଣସି ସୂତ୍ରରୁ ଖବରପାଇଥିଲା। ଦେବଗଡ ବନଖଣ୍ଡ ଅଧିକାରୀ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀ ଦେବଗଡ଼ ଫରେଷ୍ଟ ରେଞ୍ଜ ଅଫିସର ଦେବଦତ୍ତ ନନ୍ଦ, ରିଆମାଳ ଫରେଷ୍ଟ ରେଞ୍ଜ ଅଫିସର ମହେନ୍ଦ୍ର ସାହୁ, ବାରକୋଟ ଫରେଷ୍ଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁ, ପାଲଲହଡ଼ା ଫରେଷ୍ଟ ରେଞ୍ଜ ଅଫିସର ଦୁର୍ଯ୍ୟୋଧନ ଜରେଇ, ଦେବଗଡ଼ ଫରେଷ୍ଟର ପ୍ରସନ୍ନ କୁମାର ସାହୁ, ରିଆମାଳ ଫରେଷ୍ଟର ତୁଷାର ରଞ୍ଜନ ପ୍ରଧାନ, ଖମାର ଫରେଷ୍ଟର ପ୍ରଦୀପ କୁମାର ଶତପଥୀ, ଠିଆନାଳ ଫରେଷ୍ଟର ମନ୍ମଥ ବେହେରା ଓ ଦେବଗଡ ଫରେଷ୍ଟଗାର୍ଡ ଭୋଳେଶ୍ୱର ସାହୁଙ୍କ ସମେତ ଏକାଧିକ ଫରେଷ୍ଟଗାର୍ଡଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲେ। ଏହି ସ୍କ୍ୱାର୍ଡ ଦୀର୍ଘ ୧୦ ଦିନ ହେଲା ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରି ତଥ୍ୟ ସଂଗ୍ରହ କରିବା ସହ ହାତୀ ଦାନ୍ତ ତସ୍କରଙ୍କ ଗତିବିଧି ସମ୍ପର୍କରେ ଖବର ସଂଗ୍ରହ ଜାରି ରଖିଥିଲେ।

ଆଜି ପୂର୍ବାହ୍ନରେ କଂସର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୁତେଲ ଗ୍ରାମର ପବିତ୍ର ଓ ମନଫୁଲ ସଡୋ ଗ୍ରାମର ଏକ ନିର୍ଜନ ସ୍ଥାନରେ ୨ଟି ହାତୀ ଦାନ୍ତ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ସ୍ୱତନ୍ତ୍ର ସ୍କ୍ୱାର୍ଡ ସେଠାରେ ଅତର୍କୀତ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସେମାନଙ୍କ ଠାରୁ ଉକ୍ତ ହାତୀ ଦାନ୍ତ ଦ୍ୱୟ ଜବତ କରିବା ସହ ବେଆଇନ ହାତୀ ଦାନ୍ତ କାରବାର ଚଳାଇଥିବା ପବିତ୍ର ଓ ମନଫୁଲକୁ ଗିରଫ କରି ଦେବଗଡ଼ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆଣିବା ସହ ସେମାନଙ୍କୁ ଅଧିକ ପଚରାଉଚରା ଜାରି ରହିଛି। ହାତୀ ଦାନ୍ତ ଦ୍ୱୟକୁ ଓଜନ କଲାପରେ ଏହାର ଓଜନ ୪ କିଲୋ ୭ ଶହ ଗ୍ରାମ ରହିଥିବା ଜଣାପଡିଥିଲା। ପଚରାଉଚରା ପରେ ଗିରଫ ତସ୍କର ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀମତୀ ଷଡଙ୍ଗୀ ପ୍ରକାଶ କରିଛନ୍ତି।