ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଞ୍ଚାୟତର ସୋନାରପାରା ଗ୍ରାମରେ କୂଅ ସଫା କରିବାକୁ ଯାଇ ୨ ଜଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହାଟଭରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୯ଟା ସମୟରେ ସୋନାରପାରା ଗ୍ରାମର ରାଜୁ କେଉଟଙ୍କ କୂଅ ସଫା କରିବାକୁ ଉକ୍ତ ଗ୍ରାମର ହେମରଜ ହାଲବା ଓ ଅନୂପ କେଉଟ ଯାଇଥିଲେ। ସେମାନେ କୂଅ ଭିତରେ ପଶି ସଫା କରୁଥିଲେ। କୂଅ ଭିତରେ ପାଣି କମ୍ ଥିବାରୁ ସେମାନେ ସଫେଇ କାମ ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ସେମାନେ ଶ୍ୱାସରୁଦ୍ଧ ହୋଇ ଛଟପଟ ହୋଇଥିଲେ।
କୂଅ ବାହାରେ ଥିବା ରାଜୁ ଏହା ଦେଖି ଉଦ୍ଧାର କରିବାକୁ ଯାଇଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକେ କୁନ୍ଦେଇ ପୁଲିସ ଓ ରାଇଘର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ବେଳକୁ ହେମରାଜ ଓ ଅନୁପ ମୃତ୍ୟୁବରଣ କରି ସାରିଥିଲେ। ଅପରପକ୍ଷରେ ରାଜୁଙ୍କୁ ଉଦ୍ଧାର କରିବା ପରେ ସେ ଗୁରୁତର ଥିବାରୁ ତାଙ୍କୁ ହାଟଭରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।