ସୋସିଆଲ ମିଡିଆରେ କରୋନା ଭାଇରସର ଆତଙ୍କ ସୃଷ୍ଟିକରୁଥିବା ୨ ଗିରଫ

ଖଇରା,ଏନ୍ଏନ୍ଏସ୍: ସାରା ଦେଶରେ କରୋନା ସଂକ୍ରମଣ ପାଇଁ ସମସ୍ତ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟସରକାର ସାରା ଦେଶକୁ ଲକଡାଉନ ଘୋଷଣା କରିବା ସହିତ ଜନସାଧରଣମାନେ ଆତଙ୍କିତ ନହେବାକୁ ଗଣମାଧ୍ୟମ ଦ୍ଵାରା ପ୍ରଚାର କରିବା ସହିତ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିମାନେ ଲୋକମାନଙ୍କ ପାଖରେ ପହଞ୍ଚି ବିଭିନ୍ନ ଉପାୟରେ ସଚେତନତା ମଧ୍ୟ କରୁଛନ୍ତି। ଏହି ସମୟରେ କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡ଼ିଆ ମାଧ୍ୟମରେ କରୋନା ଭାଇରସ ହୋଇଥିବା ନେଇ ମିଥ୍ୟା ଗୁଜବ କରି ଜନସାଧାରଣଙ୍କୁ ଆତଙ୍କିତ କରୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ।

ଖଇରା ଥାନା ଅଞ୍ଚଳରେ ଦୁଇଜଣ ବ୍ୟକ୍ତି ସୋସିଆଲ ମିଡିଆରେ କରୋନା ହୋଇଥିବା ମିଥ୍ୟା ଗୁଜବ କରି ଗିରଫ ହୋଇଥିବା ଜଣାପଡିଛି। ସେମାନେ ଖଇରା ଥାନା ଅଧିନ କୃଷ୍ଣପୁର ଗ୍ରାମର ଶରତ କୁମାର ଦାସ ଏବଂ ବିଜୟ କୁମାର ମଲ୍ଲିକ। ଦୁହେଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଉକ୍ତ ଅଞ୍ଚଳରେ କରୋନା ହୋଇଥିବା ନେଇ ମିଥ୍ୟା ଗୁଜବ ପ୍ରଚାର କରିଥିଲେ। ଏହି ମିଥ୍ୟା ଗୁଜବ ମୋବାଇଲରୁ ମୋବାଇଲକୁ ଘୁରି ବୋଲିବା ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିଲେ। ଏହି ଗୁଜବ ବିଷୟରେ ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରା ଖବରପାଇ ଘଟଣାର ତଦନ୍ତ କରି ସେମାନଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କେସ୍ ନଂ-୬୫/୨୦ ଆଧାରରେ ୨୬୦, ୨୭୦, ୨୭୧, ୫୦୫ ଏବଂ ଆଇପିସି-୭୧, ୭୪ ଆଇଟି ଆକ୍ଟରେ କୋଟ ଚାଲାଣ କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।