ସମ୍ଭାବିତ ହିଂସାକୁ ଦୃଷ୍ଟିରେ ରଖି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କଲା ଟୁଇଟର

ୱାଶିଂଟନ,ଏଜେନ୍ସି: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ସବୁଦିନ ଲାଗି ବନ୍ଦ କରି ଦେଇଛି ଟୁଇଟର୍‌। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟରେ ଭବିଷ୍ୟତରେ ଆହୁରି ହିଂସା ବଢ଼ିବାର ଆଶଙ୍କାକୁ ରହିଛି। ଏନେଇ ତାଙ୍କ ଆକାଉଣ୍ଟ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି।

ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍‌’ରେ ମାରାତ୍ମକ ବିଦ୍ରୋହ ପରେ ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା। ପରେ ଆକାଉଣ୍ଟ ପୁଣି ଥରେ ଚାଲିବା ପରେ ଗୁରୁବାର ଦିନ ଟ୍ରମ୍ପ୍‌ ଟୁଇଟ୍‌ କରିବା ଆରମ୍ଭ କରିଥିଲେ। ଟୁଇଟରରୁ ଆସୁଥିବା ମନ୍ତବ୍ୟ ଉପରେ ସତର୍କ ଦୃଷ୍ଟି ରଖୁଥିବା ଟୁଇଟର୍‌ କହିଥିଲା କି, ଟ୍ରମ୍ପ୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ।

ସବୁଦିନ ପାଇଁ ଆକାଉଣ୍ଟ୍‌ ଅଚଳ କରାଯାଇଥିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି ଯେ, ତାଙ୍କୁ ଚୁପ୍‌ କରାଇବାକୁ ରାଜନୈତିକ ଶତ୍ରୁମାନଙ୍କ ସହ ଟୁଇଟର୍‌ ଷଡ଼ଯନ୍ତ୍ର କରୁଛି। ଏ କଥା ଟ୍ରମ୍ପ୍‌ ତାଙ୍କ ଅଫିସ୍‌ ଆକାଉଣ୍ଟ‌ରେ ଲେଖିଥିଲେ। ତାଙ୍କର ଏହି ପୋଷ୍ଟକୁ ଟୁଇଟର‌ ତତ୍‌କ୍ଷଣାତ୍‌ ଡିଲିଟ୍‌ କରି ଦେଇଥିବା ଜଣାପଡ଼ିଛି।