ଡିଜିପି ଅଫିସ୍ ଘେରିଲା ବିଜେପି, ପୁଲିସ ସହ କର୍ମୀଙ୍କ ଧସ୍ତାଧସ୍ତି

କଟକ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାର ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ପୁଲିସ ମହାନିର୍ଦ୍ଦେଶକଙ୍କ ଅଫିସ ଘେରାଉ କରାଯାଇଥିଲା। ଆନ୍ଦୋଳନ ବେଳେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ମାହାଙ୍ଗା ହତ୍ୟାକାଣ୍ଡରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ସ୍ମାରକପତ୍ର ଦେବାଲାଗି ଯାଇଥିବା ବିଜେପିର ନେତୃବୃନ୍ଦ ଦୀର୍ଘ ସମୟ ଡିଜିପିଙ୍କ ସହିତ ଆଲୋଚନା କରିଥିଲେ। ତେବେ ଏହି ସମୟରେ ବାହାରେ ଅପେକ୍ଷା କରିଥିବା ଶହଶହ କର୍ମୀ ଅଧର୍ଯ୍ୟ ହୋଇପଡ଼ିବା ସହିତ ଆଲୋଚନାର ଫଳାଫଳରେ ଅସନ୍ତୁଷ୍ଟ ହେବା କାରଣରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ପ୍ରବଳ ଠେଲାପେଲା ତଥା ଧସ୍ତାଧସ୍ତି ହୋଇଥିଲା। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଯେଉଁମାନଙ୍କ ନାମରେ ଅଭିଯୋଗ ରହିଛି ସମସ୍ତଙ୍କୁ ଗିରଫ କରିବା ନେଇ ବିଜେପିନେତାମାନେ ଦାବି କରିଥିଲେ। ତେବେ ଏନେଇ ଡିଜିପି ଅଭୟ ଅସହାୟ ପ୍ରକାଶ କରିଥିଲେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଆଗାମୀ ଦଶ ଦିନ ମଧ୍ୟରେ ଜଣେ ଡିଆଇଜି ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ବୋଲି ଆନ୍ଦୋଳନକାରୀମାନଙ୍କୁ ଡିଜିପି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।