ଜିଲ୍ଲା ଚିକିତ୍ସାଳୟରେ ଅଗ୍ନିକାଣ୍ଡ: ୧୦ ନବଜାତ ଶିଶୁ ଜୀବନ୍ତ ଦଗ୍ଧ, ୭ ଜଣଙ୍କୁ ଉଦ୍ଧାର

ଭଣ୍ଡାରା,ଏଜେନ୍ସି: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଚିକିତ୍ସାଳୟର ସିକ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତ୍ରିରେ ହୋଇଥିବା ଏହି ଅଗ୍ନିକାଣ୍ଡ ଯୋଗୁଁ ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି। ରାତି ପ୍ରାୟ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ହସ୍ପିଟାଲର ସିକ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ମୋଟ ୧୭ ଜଣ ଶିଶୁ ଥିବାବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ସିକ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଯେଉଁ ସମୟରେ ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ସେହି ସମୟରେ ୧୭ ଜଣ ନବଜାତ ଶିଶୁ ଥିଲେ। ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖାଯାଇଥିଲା। ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ୭ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ହସ୍ପିଟାଲରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।