ତାମିଲନାଡୁରୁ ନିଜ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ମାଲକାନଗିରି ଫେରିଲେ ୨୦ ଯୁବତୀ

ମାଲକାନଗିରି,ଏନ୍ଏନ୍ଏସ୍: କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ନେଉଥିବା ବେଳେ ଦେଶରେ ଆର୍ଥିକ ଅବସ୍ଥା ମଧ୍ୟ ଭୁଶୁଡ଼ି ପଡ଼ିଛି। ସେହିପରି ଅନେକ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଥିବାରୁ ଦେଶର ବହୁ ଯୁବକ ଯୁବତୀମାନେ ରୋଜଗାର ହରାଇଛନ୍ତି। ଏଭଳି ଦୃଶ୍ୟ ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଇ କାମଧନ୍ଦା ବନ୍ଦ ହେବାରୁ ଶ୍ରମିକମାନେ ଘରବାହୁଡ଼ା ହେବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ପ୍ରାୟ ୨୦ ଜଣ ଯୁବତୀ ରୋଜଗାର ହରାଇ ନିଜ ଗ୍ରାମକୁ ଫେରିଛନ୍ତି।

କାମ ପାଇଁ ତାମିଲନାଡୁର ଇରୋଟଠାରେ ଏକ ସିଲେଇ କମ୍ପାନୀରେ ନିଯୁକ୍ତି ପାଇଥିଲେ। ତେବେ କରୋନା ସଂକ୍ରମଣ ଯୋଗୁଁ ଏହି କମ୍ପାନୀଗୁଡ଼ିକ ବନ୍ଦ ରହିଛି। ଏହା ସତ୍ତ୍ବେ ସମ୍ପୃକ୍ତ କମ୍ପାନୀ ଦୀର୍ଘଦିନ ଧରି ସେମାନଙ୍କୁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ଯୋଗାଇଆସୁଥିଲା। ତେବେ ବହୁ ଦିନ ଘରେ ରହି ଶେଷରେ ନିଜ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ସେଠାରୁ ଯୁବତୀମାନେ ଏକ ମିନି ବସକୁ ନିଜ ସଞ୍ଚିତ ଅର୍ଥରୁ ୧ ଲକ୍ଷ ୧୦ ହଜାର ଟଙ୍କା ଦେଇ ଘରକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ମାଲକାନଗିରି, କାଲିମେଳା, ମାଥିଲି ଓ ଖଇରପୁଟ ବ୍ଲକ୍ ଅଞ୍ଚଳର ଯୁବତୀମାନେ ଥିବା ଜଣାପଡ଼ିଛି। ସେମାନେ ନିଜ ଗ୍ରାମକୁ ଯାଇ ଗ୍ରାମର ଅଙ୍ଗନବାଡି କର୍ମୀଙ୍କୁ ରିପୋର୍ଟ ଜଣାଇବା ସହ ଗୃହ ସଂଗରୋଧରେ ରହିବେ ବୋଲି ଜଣାପଡ଼ିଛି।