କୋରାପୁଟ,ଏନ୍ଏନ୍ଏସ୍: ଶନିବାର କୋରାପୁଟ ଜିଲାରେ ୨ ମହିଳାଙ୍କ ସମେତ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୯୫କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବାବେଳେ ଜଣେ ଗୃହ ସଂଗରୋଧରେ ଥିଲେ। ସେହିପରି ଅନ୍ୟ ୪ଜଣ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୧୧ ଜଣ ପଜିଟିଭଙ୍କ ମଧ୍ୟରେ ଜଣେ ଜୟପୁରର ହୋଇଥିବା ବେଳେ ତେଲେଙ୍ଗାନାରୁ ଫେରି ଜୟପୁର ପୌରପରିଷଦ ଟାଉନ ହଲ୍ ସଂଗରୋଧ କେନ୍ଦ୍ରରେ ଥିଲେ। ସେହିପରି କୋରାପୁଟରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ ମହିଳା ଦିଲ୍ଲୀ ଫେରନ୍ତା। ସେ କୋରାପୁଟ ହାଟପଦାରେ ଗୃହ ସଂଗରୋଧରେ ରହିଥିବା ବେଳେ ଅନ୍ୟଜଣେ କଟକ ଫେରନ୍ତା ଅଗ୍ନିଶମ ବିଭାଗ କର୍ମଚାରୀ ବୋଲି ଜଣାପଡିଛି। ନାରାୟଣପାଟଣା ଛାତ୍ରାବାସ ସଂଗରୋଧ କେନ୍ଦ୍ରରେ ଥିବା ତାମିଲନାଡୁ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୁନାବେଡା ଏଡିଏଭି ହାଇସ୍କୁଲ ସଂଗରୋଧ କେନ୍ଦ୍ରରେ ଥିବା ଗଞ୍ଜାମ ଫେରନ୍ତା ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି।
କୋଟପାଡ ବ୍ଲକ୍ ବତାସନା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ଯୁବକ ନବରଙ୍ଗପୁର ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ ଦାମନଯୋଡି ସେକ୍ଟର-୩ ଓ ଭେଜାପୁଟ ସତସଙ୍ଗରେ ଚିହ୍ନଟ ୨ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟ ଜଣେ ଦଶମନ୍ତପୁର ବ୍ଲକ୍ ପୋଡ଼ାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜୟପୁର ଟାଉନ୍ ହଲ୍, ଦାମନଯୋଡି ସେକ୍ଟର-୩, ଭେଜାପୁଟ ସତସଙ୍ଗ କଲୋନୀ, ନାରାୟଣପାଟଣା ହାଇସ୍କୁଲ, କୋରାପୁଟ ହାଟପଦା, ଅଗ୍ନିଶମ କାର୍ଯ୍ୟାଳୟ, ବିଏସଏନଏଲ୍ ଷ୍ଠାଫ୍ କ୍ୱାର୍ଟର୍ସ, ଆରଡବଲ୍ୟୁଏସଏସ୍ ଅଧୀକ୍ଷକ ଯନ୍ତ୍ରୀ ଅଫିସ୍, ସୁନାବେଡ଼ା ଏଡିଏଭି ହାଇସ୍କୁଲ୍, କୋଟପାଡ଼ ବ୍ଲକ୍ ଶିରାଗୁଡା, ପୋଡ଼ାଗଡ଼ ସିଏଚସି ଷ୍ଠାଫ୍ କ୍ୱାର୍ଟର୍ସ, ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଜିଲ୍ଲାରେ ସପ୍ତାହିକ ସଟଡାଉନ୍ ପ୍ରଭାବ
ଜିଲ୍ଲାରେ କରୋନା ସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ଜୁଲାଇ ମାସର ସମସ୍ତ ଶନିବାର ଓ ରବିବାର ସମଗ୍ର ଜିଲ୍ଲାକୁ ସଟଡାଉନ୍ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଥିଲେ। ତେବେ ଏହା ଚଳିତ ମାସର ଦ୍ୱିତୀୟ ସାପ୍ତାହିକ ସଟଡାଉନ ହୋଇଥିବା ବେଳେ ସମସ୍ତ ଅଞ୍ଚଳ ଜନଶୂନ୍ୟ ଦେଖାଯାଉଛି। ମାଲବାହି ଟ୍ରକ୍, ଆମ୍ବୁଲାନସ୍, ଔଷଧ ଦୋକାନ, ଅତ୍ୟାବଶ୍ୟକ ସେବା ଯୋଗାଉ ଥିବା ଗାଡ଼ି ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଗାଡି ବ୍ୟତୀତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି। ଜିଲା ସଦର ମହକୁମା ସମେତ ଜିଲ୍ଲାର ମୁଖ୍ୟ ବ୍ୟବସାୟିକ ସହର ଜୟପୁର, ସେମିଲିଗୁଡା, ଶିଳ୍ପ ନଗରୀ ଦାମନଯୋଡି, ସୁନାବେଡା ଇତ୍ୟାଦି ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ସେହିପରି ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ପାଟ୍ରୋଲିଂକୁ କଡାକଡି କରାଯାଇଛି।