ଆମପାଣି ସଂଗରୋଧ ଗୃହରୁ ୨୫ ଶ୍ରମିକ ଫେରାର

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ସୀମାନ୍ତ କୋକସରା ବ୍ଲକ୍ ଆମପାଣି ଜନଜାତି ଆବାସିକ ବିଦ୍ୟାଳୟରେ ଅସ୍ଥାୟୀ ସଂଗରୋଧ ଗୃହରୁ ଗତକାଲି ରାତିରେ ୨୫ଜଣ ଶ୍ରମିକ ଫେରାର ହୋଇଯାଇଥିବା ଜଣାପଡିଛି। ରାଜ୍ୟବାହାରୁ ଆସୁଥିବା ଶ୍ରମିକମାନଙ୍କୁ ଏହି ସଂଗରୋଧ ଗୃହରେ କଳାହାଣ୍ଡି ପ୍ରଶାସନ ଦ୍ୱାରା ରଖିବା ବ୍ୟବସ୍ଥା କରାଯାଇଥିଲା।

ଲକଡାଉନ ବେଳେ ରାଜ୍ୟ ବାହାରୁ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ କାମ କରୁଥିବା ଶ୍ରମିକ ମାନେ ଘରକୁ ଆସୁଥିଲେ। ଏଥିରେ ୬୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଏହି ସଂଗରୋଧ ରଖାଯାଇଛି। ସେହିପରି ତେବେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅଞ୍ଚଳର ୨୬ ଜଣ ଶ୍ରମିକ ଫୁଲବାଣୀରୁ ଚାଲି ଚାଲି ଫେରୁଥିବା ସମୟରେ ଆମପାଣି ପୁଲିସ ସେମାନଙ୍କୁ ଅଟକ ରଖି ବ୍ଲକ୍ ପ୍ରଶାସନ ସହାୟତାରେ ସଂଗରୋଧ ଗୃହରେ ରଖିଥିଲେ।

ତେବେ ଗତକାଲି ସେମାନଙ୍କ ମଧ୍ୟରୁ ୨୫ ଜଣ ଶ୍ରମିକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପରେ ଆଜି ସକାଳୁ ଘଟଣାସ୍ଥଳରେ କୋକସରା ବ୍ଲକ୍ ତହସିଲଦାର, ବିଡ଼ିଓ ପହଞ୍ଚି ତଦନ୍ତ କରୁଛନ୍ତି।