ଭୂଲ ଔଷଧ ଖାଇ ୨୦ ଶିଶୁ ଅସୁସ୍ଥ

ବାଲେଶ୍ୱର,ଏନ୍ଏନ୍ଏସ୍ : ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲକ ବରିପଦା ଗ୍ରାମର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଭୁଲ ଔଷଧ ଖାଇ ୨୦ରୁ ଅଧିକ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ପ୍ରଥମେ ଗୋପାଳପୁର ମେଡିକାଲ ପରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ଗତ ବୁଧବାର ଶୂନ୍ୟରୁ ୫ବର୍ଷ ପିଲାମାନଙ୍କୁ ଟିକା ପ୍ରଦାନ କରିବାର ତାରିଖ ଥିଲା। ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବରିପଦା ଗ୍ରାମରେ ୩ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା। ହେଲେ ଗିଲିଗଡ଼ିଆ ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟିଥିଲା। ଏହି ବୁଥରେ ଭୁଲ ଔଷଧ ପାଇଁ ୨୦ରୁ ଅଧିକ ଶିଶୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ବିଶେଷ କରି ଏହି ଟିକା ଏଏନଏମ କର୍ମୀ, ଅଙ୍ଗନବାଡ଼ିି କର୍ମୀ ଏବଂ ଆଶା କର୍ମୀମାନେ ପ୍ରଦାନ କରୁଥିଲେ।

ଏହି କେନ୍ଦ୍ରରେ ସରସ୍ୱତୀ ମଳିକ, ରଞ୍ଜିତା ମଳିକ,ଗାୟତ୍ରୀ ମଳିକ,ଦୀପା ମଳିକ, ମମତା ମଳିକ, ଅନୁରାଧା ମଳିକ,ବାସନ୍ତୀ ମଳିକ ପ୍ରମୁଖଙ୍କ ସହ ଅନ୍ୟ ମହିଳାମାନଙ୍କର ପିଲାମାନେ ଏହି କେନ୍ଦ୍ରରେ ଟିକା ନେଇଥିଲେ। ସମସ୍ତ ଶିଶୁମାନଙ୍କୁ ଟିକା ପ୍ରଦାନ ପରେ କର୍ମୀମାନେ ତାଙ୍କୁ ଗୋଟିଏ ଟ୍ୟାବଲେଟ ଦେଇଥିଲେ, ଯେଉଁଟା କି ଶିଶୁମାନଙ୍କୁ ଜ୍ୱର ଆସିଲେ ତାଙ୍କୁ ଖାଇବାକୁ ଦିଆଯିବ। ହେଲେ ଭୁଲ ବଶତଃ କର୍ମୀମାନେ ଉକ୍ତ ଶିଶୁମାନଙ୍କ ପାଇଁ ପାରାସିଟାମଲ ଟ୍ୟାବଲେଟ ବଦଳରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଆଇରନ ଟ୍ୟାବଲେଟ ଦେଇଥିଲେ। ଶିଶୁମାନଙ୍କୁ ଜ୍ୱର ଆସିଲେ ଦିନକୁ ୩ ଥର କ୍ଷୀର ସାଙ୍ଗରେ ମିଶାଇ ଖାଇବାକୁ ଦେବା ପାଇଁ ପରାମର୍ଶ ଦେଇଥିଲେ। ବୁଧବାର ରାତିରେ ଶିଶୁମାନଙ୍କୁ ଜ୍ୱର ଆସିବା ପରେ କର୍ମୀମାନେ ପ୍ରଦାନ କରିଥିବା ଆଇରନ ଟ୍ୟାବଲେଟ କ୍ଷୀରରେ ମିଶାଇ ଶିଶୁମାନଙ୍କୁ ଖାଇବାକୁ ଦେଇଥିଲେ।

ଶିଶୁମାନେ ଖାଇବାର କିଛି ସମୟ ପରେ ସେମାନଙ୍କୁ ଝାଡ଼ା ଓ ବାନ୍ତି ହେବା ସହ ଶିଶୁମାନେ ଗୁରୁତର ହୋଇ ପଡ଼ିଥିଲେ। ପ୍ରାୟ ୨୦ରୁ ଅଧିକ ଶିଶୁମାନେ ଏଥିରେ ଆକ୍ରାନ୍ତ ହୋଇଥିଲେ।  ଏନେଇ ଗ୍ରାମର ରାଜେନ୍ଦ୍ର ମଲ୍ଲିକଙ୍କ କହିବା ଅନୁସାରେ, ପିଲାମାନେ ଅସୁସ୍ଥ ହେବା ପରେ ସେମାନେ ଉକ୍ତ ମେଡିସିନକୁ ଯାଞ୍ଚ କରିଥିଲେ। ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କୁ ଭୂଲ ମେଡିସିନ ଦେଇଥିବା ଜାଣିବାକୁ ପାଇଥିଲେ।

ସେମାନେ ଅସୁସ୍ଥ ଶିଶୁମାନଙ୍କୁ ସୋର ମେଡିକାଲ ଓ ଗୋପାଳପୁର ମେଡିକାଲକୁ ଆଣିଥିଲେ। ସେଠାରୁ କିଛି ଶିଶୁ ଭଲ ହୋଇଯାଇଥିବା ବେଳେ ୧୦ରୁ ଅଧିକ ଶିଶୁଙ୍କ ଅବସ୍ଥା ଗୁରୁତର ରହିଥିଲା। ଏଣୁ ସେମାନଙ୍କୁ ବାଲେଶ୍ୱର ମେଡିକାଲକୁ ପଠାଇଛନ୍ତି। ଏହି ଘଟଣା ପରେ ସେମାନେ ଏଏନଏମ୍ ସୂଚିସ୍ମିତା ପତିଙ୍କୁ ଯୋଗାଯୋଗ କରି ଘଟଣାସ୍ଥଳକୁ ଆସିବା ପାଇଁ କହିଥିଲେ ମଧ୍ୟ ସେ ଆସିନଥିଲେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।