ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି

ବାଙ୍କୀ,ଏନ୍ଏନ୍ଏସ୍ : ବିବାହ ପାଇଁ ବର ସାଜି ଯାଉଥିବା ଯୁବକଙ୍କୁ ଅଧାବାଟରୁ ଉଠାଇନେଲା ପୁଲିସ। ଫଳରେ ବାହାଘର ହୋଇପାରିଲା ନାହିଁ। ଯୁବକଙ୍କୁ ବିବାହ କରିବାକୁ ଅପେକ୍ଷା କରିଥିବା ଯୁବତୀଙ୍କ ଶେଷରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବିବାହିତ ରହିବାକୁ ପଡ଼ିଲା। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗ୍ରାମର ପ୍ରକାଶ ସ୍ୱାଇଁଙ୍କ କ୍ଷେତ୍ରରେ।

ଖବର ନେବାରୁ ଜଣାପଡ଼ିଛି ଯେ, ବାଙ୍କୀଥାନା ଅନ୍ତର୍ଗତ ଇଟାଭାଟି ଠାରେ ଜମିଜମା ସଂକ୍ରାନ୍ତିୟ ଗଣ୍ଡଗୋଳ ଘଟଣାରେ ଗତ ୨୦୧୮ମସିହାରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ୬ରୁ ଅଧିକ ଲୋକ ସମ୍ପୃକ୍ତ ଥିବା ଏତଲାରୁ ଜଣାଯାଏ। ସେଥିରୁ ୨ଜଣ ଅଭିଯୁକ୍ତ ଗିରଫ ହୋଇ ଜାମିନରେ ଅଛନ୍ତି ଏବଂ ଅନ୍ୟ ୪ଜଣ ଫେରାର ଥିଲେ। ତାଙ୍କ ମଧ୍ୟରୁ ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗ୍ରାମର ପ୍ରକାଶ ଗୁରୁବାର ବିବାହ କରିବା ପାଇଁ ବରବେଶ ସାଜି ଆଜି ଆସୁଥିଲେ। ସେ ଏକ କାରରେ ଆଠଗଡ଼ ସମସୁରପୁର ଗ୍ରାମ ଶିବ ମନ୍ଦିରକୁ ଆସୁଥିବା ବେଳେ ଅଧାବାଟରେ ବାଙ୍କୀ ପୁଲିସ ସାଧା ପୋଷାକରେ ଯାଇ ସାପୁଆ ପୋଲ ନିକଟରୁ ବରବେଶ ସାଜିଥିବା ଯୁବକଙ୍କୁ ଉଠାଇ ଆଣି ବାଙ୍କୀ ଥାନାକୁ ଆଣିଥିଲା। ଫଳରେ ମଙ୍ଗୁଳି ଝିଅ ଏବେ କ’ଣ କରିବ ଏହାକୁ ନେଇ ପ୍ରଶ୍ନ?