ନାବାଳିକା ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ମାଷ୍ଟର ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଛାତ୍ରୀକୁ ପ୍ରେମ ଜାଲରେ ଫସାଇବା ପରେ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ପାଟଣା ପୁଲିସ ଟ୍ୟୁସନ ମାଷ୍ଟରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଉଦୟପୁର ଗ୍ରାମର ଗତିକୃଷ୍ଣ ସେଠୀ। ଅଭିଯୋଗ ଅନୁଯାୟୀ, ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ନାବାଳିକାକୁ ପାଠ ପଢ଼ାଇବା ସମୟରେ ପ୍ରେମ ଜାଲରେ ଫସାଇ ଗତ ମେ’ ମାସ ୧୮ ତାରିଖରେ ଅପହରଣ କରି ବାରିପଦା ନେଇ ଯାଇଥିଲା। ପରେ ମୟୁରଭଞ୍ଜ ଜିଲ୍ଲା ଜଶିପୁର ଥାନା ମାଟିଆଗଡ଼ ଗ୍ରାମରେ ଥିବା ନିଜ ସମ୍ପର୍କୀୟ ମାଉସୀ ଘରେ ନାବାଳିକାକୁ ରଖି ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାର ପରିବାର ଲୋକେ ପାଟଣା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତର ପରିବାର ଲୋକେ ନାବାଳିକାକୁ ସେଠାରୁ ଆଣି ଥାନାରେ ହାଜର କରାଇଥିଲେ। ନାବାଳିକାର ଡାକ୍ତରୀ ମାଇନା ପରେ ଫେରାର ଥିବା ଟ୍ୟୁସନ ମାଷ୍ଟର ଗତିକୃଷ୍ଣକୁ ମଙ୍ଗଳବାର ମାଉସୀ ଘରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।