ତୁଷାରଙ୍କ ଟାଇପୋଗ୍ରାଫି ନିଶା, ଚିତ୍ର ବଖାଣୁଛି ବ୍ୟକ୍ତିତ୍ୱ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନିଆରା ଶିଳ୍ପୀ ତୁଷାର କୁମାର ବେହେରା। ଟାଇପୋଗ୍ରାଫିରେ ଯେକୌଣସି ବସ୍ତୁ ବା ବ୍ୟକ୍ତିକୁ ଚିତ୍ରିତ କରିବାରେ ମାହିର। ତାଙ୍କ ଚିତ୍ରର ସ୍ୱତନ୍ତ୍ରତା ହେଉଛି ସେ ପ୍ରସ୍ତୁତ କରୁଥିବା ଛବିଗୁଡ଼ିକୁ ଦର୍ଶକ ସାମାନ୍ୟ ଦୂରରୁ ଦେଖିବେ ବ୍ୟକ୍ତିର ନିଖୁଣ ଚେହେରା ଦେଖିବାକୁ ମିଳିବ। ତେବେ ଛବିର ଯେତେ ନିକଟବର୍ତ୍ତୀ ହେବେ ବ୍ୟକ୍ତି ସହ ସମ୍ପୃକ୍ତ ବିଭିନ୍ନ ତଥ୍ୟ ଦେଖିବାକୁ ପାଇବାକୁ ଛୋଟ ଛୋଟ ଅକ୍ଷରରେ ବ୍ୟକ୍ତିର ସମସ୍ତ ଗୁଣ,ଦକ୍ଷତା ତଥା ରୁଚକୁ ବର୍ଣ୍ଣନା କରୁଥିବା ସମସ୍ତ ଶବ୍ଦ ଏହି ଛବିରେ ଦେଖିବାକୁ ମିଳିବ। ତେବେ ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଧାନମନ୍ତ୍ରୀଙ୍କ ଛବି ବାରିପଦା ଗସ୍ତ କାଳରେ ନରେନ୍ଦ୍ର ମୋଦୀ ଖୋଦ୍ ଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁପଟ୍ଟନାୟକଙ୍କ ଟାଇପୋଗ୍ରାଫିରେ ପ୍ରସ୍ତୁତ ଚିତ୍ର ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ତେବେ ବଲିଉଡ଼୍‌ର ଶେହେନସାହା ଅମିତାଭ ବଚ୍ଚନଙ୍କ ଛବି ତାଙ୍କର ପ୍ରଥମ ଛବି ଥିଲା। ସୁଯୋଗ ମିଳିଲେ ସେ ବିଗ୍ ବିଙ୍କୁ ଏହି କଳାକୃତି ପ୍ରଦାନ କରିବେ ବୋଲି କହିଛନ୍ତି।

ନିକଟରେ ସେ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଏକ ଚିତ୍ର ପ୍ରସ୍ତୁତ କରି ଉପହାର କରିଛନ୍ତି। ଏଥିରେ ତାଙ୍କ ନୃତ୍ୟ, ବେଶପୋଷାକ, ଜଗନ୍ନାଥ ସଂସ୍କୃତି ପ୍ରତିଥିବା ରୁଚି ଆଦି ବଖାଣୁଥିବା ଶବ୍ଦ ଚିତ୍ରରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ପ୍ରଥମେ ପେନସିଲ୍ କିତ୍ୱା ତୂଳୀ ସାହାଯ୍ୟରେ ଚିତ୍ର ଆଙ୍କିବା ପରେ ସଂପୃକ୍ତ ବ୍ୟକ୍ତି ବା ବସ୍ତୁ ସମ୍ପର୍କିତ ଶବ୍‌ବକୁ ‘ଫଟୋସପ୍‌’ ମାଧ୍ୟମରେ ସଜାଇଥାନ୍ତି। କେବଳ ଟାଇପୋଗ୍ରାଫି ନୁହେଁ ବିଭିନ୍ନ ପ୍ରକାର ଚିତ୍ରଶିଳ୍ପ ତଥା ହସ୍ତଶିଳ୍ପ ପ୍ରସ୍ତୁତ କରି ବିଭିନ୍ନ ସମୟରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ନିଜର ରୁଚି ପାଇଁ ସେ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ, ସ୍ୱର୍ଗତ ଅରୁଣ ଜେଟଲୀ, ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଠାରୁ ଆରମ୍ଭ କରି ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ, ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତି ଓ ଇରଫାନ୍ ଖାନଙ୍କ ମଧ୍ୟ ଟାଇପୋଗ୍ରାଫିରେ ଛବି ପ୍ରସ୍ତୁତ କରିଛନ୍ତି। ଏହିପରି ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିତ୍ୱଙ୍କ ଛବି ପ୍ରସ୍ତୁତ କରିଥିବାବେଳେ ଜଗନ୍ନାଥଙ୍କ ନବକଳେବରକୁ ଆଧାର କରି ଖୁବ୍ ସୁନ୍ଦର ହସ୍ତଶିଳ୍ପ ପ୍ରସ୍ତୁତ କରିଥିଲେ।

ପୂର୍ବରୁ ନିଜର ରୁଚି ପୂର୍ଣ୍ଣ କରିବା ପାଇଁ ଏପରି କାର୍ଯ୍ୟ ଆରମ୍ଭ କରିଥିବାବେଳେ ବର୍ତ୍ତମାନ ଏହି ଛବି ପାଇଁ ଗ୍ରାହକ ବରାଦ ଦେବା ଆରମ୍ଭ କଲେଣି। ତେଣୁ ଆଗାମୀ ଦିନରେ କିଛି ନୂଆ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛ ନ୍ତି ତୁଷାର। ତାଙ୍କ ଠାରୁ ଏହି ବିଦ୍ୟା କେହି ଶିଖିବାକୁ ଚାହିଁଲେ ସେ ବେଶ୍ ଖୁସି ହେବେ ବୋଲି କହିଛନ୍ତି।

ଯାଜପୁରର ତୁଷାର ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ା ସମୟରୁ ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ଦେଖିବାକୁ ମିଳିଥିଲା। ତେବେ କିଛି ନୂଆ କରିବାର ପ୍ରୟାସ କରୁଥିବା ତୂଷାର ତାଙ୍କ ଚିତ୍ରକଳାକୁ ପେନସିଲ୍ ବା ରଙ୍ଗତୂଳୀରେ ସୀମିତ ରଖିବାକୁ ଚାହୁଁ ନଥିଲେ। ୨୦୧୪ ମସିହାରୁ ଚିତ୍ରକଳା ପ୍ରତି ତାଙ୍କର ରୁଚି ଅଧିକ ବଢ଼ିବାରେ ଲାଗିଥିଲା। ଡ଼ିଜିଟାଲ ପେଣ୍ଟିଂରେ ଡ଼ିପ୍ଲୋମା କରିଥିବା ତୁଷାର ଚିତ୍ରକଳାକୁ ଏକ ନିଶା ଭାବେ ଗ୍ରହଣ କରିଛନ୍ତି। କଲେଜ ପଢ଼ିବା ସମୟରେ କଲେଜରେ ଏକ ୱାଲପେଣ୍ଟିଂ କରି ଖୁବ୍ ପ୍ରଶଂସା ସାଉଁଟିଥିଲେ। ପ୍ରାୟ ୩ ଫୁଟ ଦୀର୍ଘ ୨ଫୁଟ୍ ପ୍ରଶସ୍ତ ଏହି ଚିତ୍ର ବର୍ତ୍ତମାନ ମଧ୍ୟ କଲେଜ ହତାରେ ଶୋଭା ପାଉଛି।