ଲୋପ ପାଉଛନ୍ତି ପକ୍ଷୀ, ଚିନ୍ତା ପ୍ରକଟ କଲେ କୁନି ବାଳକ ଶାନ୍ତନୁ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌; ରାତି ପାହିଲେ କାଉର କା’ କା’ ଡ଼ାକରେ ନିଦ ଭାଙ୍ଗୁଥିଲା। ଏବେ ସକାଳ ହେଲେ ଆଗ ପରି ଆଉ କାଉର ରାବ ଶୁଭୁନାହିଁ। ବିଲୁପ୍ତ ହୋଇଯାଉଥିବା ପକ୍ଷୀମାନଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ସାତବର୍ଷର ବାଳକ ଶାନ୍ତନୁ ଶାନ୍ତିସ୍ୱରୂପ। ତେବେ ଏ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ପାଇଁ ନିଜେ ରଙ୍ଗ ତୂଳୀ ଧରି ଭିନ୍ନ ପକ୍ଷୀମାନଙ୍କ ଚିତ୍ର ଆଙ୍କିଛନ୍ତି। ପକ୍ଷୀଙ୍କ ସୁରକ୍ଷାର ଆହ୍ୱାନ ଦେଇ ଚିତ୍ରରେ ତଳେ ଇଂରାଜୀ ଭାଷାରେ ମନଛୁଆଁ ସ୍ଲୋଗାନ ଲେଖିଛନ୍ତି।

‘ସେଭ୍ ଦ ସ୍ପାରୋଜ’, ‘ବାର୍ଡ଼ସ୍ ଆର୍ ଗଡ୍‌ସ ନାଚୁରାଲ୍ ଡ୍ରୋନ୍‌ସ’, ‘ମେକ୍ ଏ ରିଭୋଲ୍ୟୁସନ’, ‘ଟୁ ରିଡ୍ୟୁସ୍ ରାଡ଼ିଏସନ୍‌’, ‘ଲେଟସ୍ ସେଭ୍ ଦିଜ୍ ଲିଟିଲ୍ ଆଞ୍ଜେଲ୍‌’, ‘ଦ ବାର୍ଡ଼ସ୍‌ ଆର ଦି ଷ୍ଟାରସ୍ ଅଫ୍ ଆୱାର ନେଚର’, ଇତ୍ୟାଦି ସ୍ଲୋଗାନ ଲିଖିତ ରହିଛି। ଶାନ୍ତନୁ ଚିତ୍ରଗୁଡ଼ିକୁ ଗ୍ରୀନ୍‌ୱାଲ୍‌ରେ ପ୍ରଦର୍ଶିତ କରିବା ସହ ଚିତ୍ରକଳା ପ୍ରଦର୍ଶନୀର ନାମ ‘ଦ ବାର୍ଡ଼ସ୍‌’ ରଖିଛନ୍ତି। ସୂଚନାଯୋଗ୍ୟ, ଶାନ୍ତନୁ ଏବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅରିଶଲର ଦ୍ୱିତୀୟ ଶ୍ରେଣୀର ଛାତ୍ର। ପିତା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ଚିନ୍ତାଧାରାରେ ଶାନ୍ତନୁ ପ୍ରଭାବିତ ହୋଇ ପରିବେଶଧର୍ମୀ ଚିତ୍ର ବିଭିନ୍ନ ସମୟରେ ଆଙ୍କୁଥିବାର ଜଣାପଡ଼ିଛି। କଅଁଳ ବୟସରେ ଏଭଳି ଚିନ୍ତାଧାରାରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି।

ଶାନ୍ତନୁଙ୍କ ପିତା ସୁଶାନ୍ତ କୁମାର ସାହୁଙ୍କ କହିବାଅନୁସାରେ, ପରିତ୍ୟକ୍ତ ଖାଦ୍ୟ ସ୍ଥାନରେ ଅସଂଖ୍ୟ କାଉ ରୁଣ୍ଡର ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ। ସେହିପରି ପରିବେଶକୁ ପରିଚ୍ଛନ୍ନ ରଖୁଥିବା ବିଶାଳ ପକ୍ଷୀ ଶାଗୁଣା ପଲ ପଲ ହୋଇ ବସୁଥିଲେ ମଶାଣୀ ଓ ତାଳଗଛ ଉପରେ। ଏବେ ପଶୁଙ୍କର ଶବ ଦିନ ଦିନ ଧରି ପଡ଼ିରହୁଛି ମଶାଣି ପଦାରେ। ଆଉ ଦେଖିବାକୁ ମିଳୁନି ଶାଗୁଣା। ସେହିଭଳି ପକ୍ଷୀ ଜଗତର ସ୍ଥପତି ବାଇଚଢେଇ ଏବେ ବସା ବାନ୍ଧିବାକୁ ପାଉନାହିଁ ବଡ଼ ବଡ଼ ତୋଳ, ବର, ନଡ଼ିଆ ଗଛ। ଗାଁ ଦାଣ୍ଡ ଓ ଅଗଣାରେ କିଚିରି ମିଚିରି କରୁଥିବା ଘର ଚଟିଆର ଶବ୍ଦ ଏବେ ଆମ ସ୍ମୃତିରେ। କେବଳ କାଉ କିମ୍ବା ଶାଗୁଣା ନୁହେଁ ଆମ ପରିବେଶରୁ ଉଦ୍ଭାନ ହୋଇଗଲେଣି ଘରଚଟିଆ, ଶଙ୍ଖଚିଲ, ପାରା, ମାଛରଙ୍କା ଚଢେଇ, କଜଳପାତି, ହଳଦୀ ବସନ୍ତ ପରି ଅନେକ ପକ୍ଷୀ। ଏସବୁ କେବଳ ପରିବେଶର ପ୍ରତିକୂଳ ଅବସ୍ଥାକୁ ହିଁ ଆମେ ଦାୟୀ କରୁଛେ। ଜୈବ ବିବିଧତାର ସୁରକ୍ଷା ଓ ଜୀବଜଗତର ସନ୍ତୁଳନ ପାଇଁ ଏମାନଙ୍କ ଉପସ୍ଥିତି ନିତାନ୍ତ ଜରୁରୀ।