ହଳଦୀ ଚାଷୀଙ୍କ ହକ୍ ପାଇଁ ଦାରିଙ୍ଗବାଡ଼ିରେ ବୈଠକ

ଦାରିଙ୍ଗବାଡ଼ି,ବ୍ରାହ୍ମଣୀଗାଁ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିସ୍ଥିତ ସାରିଙ୍ଗିଇର୍ପି ସଭାଗୃହରେ କନ୍ଧମାଳ ହଳଦୀ ଚାଷୀ ସଂଗଠନ ଓ ଦାରିଙ୍ଗବାଡ଼ି କୃଷକ ମହାସଂଗଠନ ପକ୍ଷରୁ ହଳଦୀ ଚାଷ ଓ ଚାଷୀଙ୍କ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଲିଆସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ କନ୍ଧମାଳ ହଳଦୀ ଚାଷ ଓ ଚାଷ ସୁରକ୍ଷା ସଂଗଠନର ସଭାପତି ପ୍ରତାପ ପ୍ରଧାନ କାର୍ଯ୍ୟକ୍ରମରେ ବେସିସ୍କର ରାଜ୍ୟ ମୁଖ୍ୟ ସୁଶାନ୍ତ କୁମାର ନାୟକ, ଟିକାବାଲି ବ୍ଲକ ହଳଦୀ ଚାଷ ସଂଗଠନର କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ୍ଲ ଦିଗାଲ, ଜି. ଉଦୟଗିରି ଏନଏସିର କାଉନସିଲାର ଯାକେଶ ପ୍ରଧାନ, ପ୍ରଡୁସର କମ୍ପାନୀର ସଭାପତି ମିନୁରା ପ୍ରଧାନ, କୃଷକ ସଂଘର ସଭାପତି ସନ୍ତୋଷ ପ୍ରଧାନ, ଜୟରାମ ପ୍ରଧାନ, ରମାକାନ୍ତ ପ୍ରଧାନ ଓ ନୀଳାମ୍ବର ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ହଳଦୀ ଭାରତ ସରକାରଙ୍କ ଦ୍ୱାରା ଭୌଗୋଳିକ ସୂଚକ ମାନ୍ୟତା ପାଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ହଳଦୀ ମୂଲ୍ୟ ବୃଦ୍ଧି ହେଉନାହିଁ । ଚାଷୀମାନେ ଶାଗ ମାଛ ଦରରେ ହଳଦୀ ବିକ୍ରି କରୁଛନ୍ତି । ହଳଦୀ ଚାଷ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ତାର ଉଚିତ ମୂଲ୍ୟ ପାଇବାରୁ ଚାଷୀ ବଞ୍ଚିତ ହେଉଛନ୍ତି । ଏନେଇ ବାରମ୍ବାର ଦାବୀ ହେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ସେଥିପାଇଁ ହଳଦୀ ଚାଷୀ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବୀ ସମ୍ବଳିତ ଦାବୀପତ୍ର ଦାରିଙ୍ଗବାଡ଼ି ବିଡିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଦାବୀ ଗୁଡ଼ିକ ମଧ୍ୟରେ ହଳଦୀର ସର୍ବନିମ୍ନ କିଲୋ ପିଛା ଦର ୧୦୦ ଟଙ୍କା, ଚାଷୀଙ୍କୁ ଆର୍ôଥକ ପ୍ରୋତ୍ସାହନ, ପ୍ରତ୍ୟେକ ପଞ୍ଚାୟତରେ ମଣ୍ଡି ବ୍ୟବସ୍ଥା, ଦାରିଙ୍ଗବାଡ଼ି ଓ ରାଇକିଆରେ ହଳଦୀ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ବିନା ସୁଧରେ ଋଣ ପ୍ରଦାନ, ଚାଷୀ ଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବିମା ଓ ୫ ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ, ବିନା ମୂଲ୍ୟରେ କୃଷି ଯନ୍ତ୍ରପାତି ପ୍ରଦାନ, ହଳ କରିବା ପାଇଁ ୨ଟି ବଳଦ ପ୍ରଦାନ, ହଳଦୀ ଚାଷୀ ପିଲାଙ୍କୁ ସ୍ୱତନ୍ତ୍ର ଭାବେ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଓ କସମ୍ ଅନୁଷ୍ଠାନ ବ୍ୟବସାୟଙ୍କଠାରୁ ହଳଦୀ ନକିଣି ସିଧା ସଳଖ ଚାଷୀଙ୍କଠାରୁ ହଳଦୀ କ୍ରୟ କରିବା ଭଳି ଦାବୀ ଉଲ୍ଲେଖ ରହିଛି । ଏନେଇ ଉକ୍ତ ଦାବୀପତ୍ର ଦାରିଙ୍ଗବାଡ଼ି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯିବା ନେଇ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନଦେଲେ ହଳଦୀ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।