ଟୁକୁନିଙ୍କ ବକ୍ତବ୍ୟ ଠିକ୍ କେନ୍ଦ୍ରାପଡାର ଝିଅ ଭଳି- କେଏମ୍‌ଏମ୍

ବଲାଙ୍ଗିର,ଏନ୍ଏନ୍ଏସ୍: କୋଶଲ ମହାବନ୍ଦକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଠିକ କେନ୍ଦ୍ରାପଡାର ଝିଅ ଭଳି ହୋଇଛି। ସେ ଯଦି ଟିଟିଲାଗଡର ବୋହୁ ଭାବେ ମତବ୍ୟକ୍ତ କରିଥାନ୍ତେ ତାହା ନିଶ୍ଚୟ ଭିନ୍ନ ହୋଇଥାନ୍ତା। ମନ୍ତ୍ରୀ ଟୁକୁନୀ ସମାଧାନ ପାଇଁ ଯେଉଁ ଆଲୋଚନାର ଆଳ ଦେଖାଇଥିଲେ, ସେହି ଆଲୋଚନା ପାଇଁ କୋଶଲ ସେନା ତାଙ୍କୁ ୧୫ ଦିନର ମହଲତ ଦେଉଛି।

୧୫ ଦିନ ଭିତରେ ସେ ନିଜେ ସ୍ଥାନ ଓ ସମୟ ନିରୁପଣ କରି ଆମକୁ ଜଣାଇଲେ, କୋଶଲ ସେନା ଓ କୋଶଲ ମୁକ୍ତି ମୋର୍ଚ୍ଚା ସେଠାକୁ ପହଞ୍ଚି ମା ମାଟି ସ୍ୱାର୍ଥରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ କୋଶଲ ସେନା ଓ କୋଶଲ ମୁକ୍ତି ମୋର୍ଚ୍ଚାର ମିଳିତ ମଞ୍ଚ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଆହ୍ୱାନ କରିଛି। ମିଳିତ ମଞ୍ଚ ଆହୁରି କହିଛି ଯେ, ଜଦି ମନ୍ତ୍ରୀ ଟୁକୁନୀ ନିଜ କଥା ମୁତାବକ ୧୫ ଦିନ ଭିତରେ ଆଲୋଚନା ପାଇଁ ଆମକୁ ନିମନ୍ତ୍ରଣ ନକରନ୍ତି, ତେବେ ମିଳିତ ମଞ୍ଚ ଅଞ୍ଚଳର ହଜାର ହଜାର ଲୋକଙ୍କ ହାତ ଲେଖା ଚିଠି ନେଇ ମନ୍ତ୍ରୀଙ୍କ ବାସଭବନରେ ପ୍ରଦାନ କରିବ।

ସେହିପରି ଝାରସୁଗୁଡା ଠାରେ ମହାବନ୍ଦର ପିକେଟିଂ ସମୟରେ କୋଶଲ ସଂଗ୍ରାମୀଙ୍କୁ ପୁଲିସ ଗିରଫ କରିବା ଘଟଣାକୁ ତିବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ଏହାର ଜୋରଦାର ଉତ୍ତର ଦିଆଯିବ ବୋଲି ଚେତାଇ ଦେଇଛି। ଏହି ଅବସରରେ ମିଳିତ ମଞ୍ଚ ମହାବନ୍ଦକୁ ସଫଳ କରିଥିବା ଜନସାଧାରଣ, କୋଶଲବାଦୀ ସଂଗଠନ ଓ ବିଭିନ୍ନ ଅନୁଷ୍ଟାନ ଗୁଡିକୁ ତାଙ୍କର ସହେଯାଗ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ସଂଗଠନକୁ ଆହୁରି ସଂଗଠିତ କରାଯିବ ବୋଲି ପ୍ରକାଶ କରିଛି। ଏହି ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ ସିପୁନ ଖହାମାରି, ଗଣେଶ ସାହୁ ଓ କୌସ୍ତୁଭ ସାହୁ ମଞ୍ଚାସୀନ ଥିଲେ।