ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗରସ୍ଥିତ ଗିଦଘରା ଜଙ୍ଗଲ ନିକଟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ହେଲପରଙ୍କ ମୃତ୍ୟୁ ହୋଇଛି। ମୃତ ହେଲପର ଜଣକ ଗିରଧରା ଗ୍ରାମର ଅଶୋକ ଧୁରୁଆ (୨୨) ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଫେରାର ହୋଇଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଶୋକର ମୃତଦେହ ଉଦ୍ଧାର କରି ବ୍ୟବେଚ୍ଛେଦ ପାଇଁ ପଠାଇଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ଭୋରରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଝାରସୁଗୁଡ଼ା ପଟୁ ଏହି ଟ୍ରକ ବେଲପାହାଡ଼ ଆଡ଼କୁ ଯାଉଥିଲ। ତେବେ ବାଲାଜି ପିଚୁ ପ୍ଲାଣ୍ଟ ନିକଟରେ ଥିବା ଏକ କଲଭର୍ଟରେ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା କଡ଼ରେ ଥିବା ଏକ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ହେଲପର ଅଶୋକ ଟ୍ରକ୍ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ଏନେଇ ରାମପୁର ପୁଲିସ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହ ଡ୍ରାଇଭରର ସନ୍ଧାନ ଆରମ୍ଭ କରିଛି।