ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡ଼ା ଫାଣ୍ଡିସ୍ଥିତ ସଦରଠାରୁ ୧କିମି ଦୂର ପାରୀକ୍ଷିତି ଘାଟିର ୩୨୬ନଂ ଜାତୀୟ ରାଜପଥ କଡ଼ରେ ସୋମବାର ମଧ୍ୟରାତ୍ରୀ ୧୨ଟା ସମୟରେ ଏକ କୁଣ୍ଡା ବୋଝେଇ ଟ୍ରକ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା। ଟ୍ରକଟି କୁଣ୍ଡା ବୋଝେଇ କରି ରାୟଗଡ଼ାଠାରୁ ଆନ୍ଧ୍ରପ୍ରଦେଶର ଭିମାଓରାମ ଯାଉଥିବା ଜଣାପଡ଼ିଛି। ଘାଟିରେ ଟ୍ରକଟି ତଳକୁ ଗଡ଼ିବା ସମୟରେ ବୁଲାଣି ପଡ଼ୁଥିବାରୁ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ ଡ୍ରାଇଭର ଜାଙ୍ଗାଲା ପୋଲାୟା କହିଛନ୍ତି। ଟ୍ରକ ଡ୍ରାଇଭର ଜାଙ୍ଗାଲା ପୋଲାୟାଙ୍କର ଦୁର୍ଘଟଣାରେ ବାମ ଗୋଡ଼ ଭାଙ୍ଗିଯାଇଥିବା ବେଳେ ହେଲପର ଜାଙ୍ଗାଲା ତାମିଙ୍କର ସାମାନ୍ୟ ଆଘାତ ହୋଇଥିବା ଜଣାପଡ଼ିଛି। ଡ୍ରାଇଭର ଓ ହେଲପର ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଟ୍ରକ ଦୁର୍ଘଟଣା ଘଟିଥିବା ଖବର ପାଇ ରାମନାଗୁଡ଼ା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଘଟଣାସ୍ଥଳରେ ପହଂଚି ଅଧିକ ଅନୁସନ୍ଧାନ ଜାରି ରଖି ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।