କୋରାପୁଟ,ଏନ୍ଏନ୍ଏସ୍: ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ଥାନା ପୁଲିସ ଦ୍ୱାରା ଗିରଫ ଟ୍ରକ୍ ଡ୍ରାଇଭର ଗୋପାଳ ରାମ(୪୪) ଥାନା ହାଜତରେ ଆତ୍ମହତ୍ୟା କରିଛନ୍ତି। ଶନିବାର ରାତିରେ ସେ ନିଜ ବେଡସିଟ ଚିରି ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଥାଉକି, ଶନିବାର ସଂନ୍ଧ୍ୟାରେ ସଦର ଥାନା ସବଇନ୍ସପେକ୍ଟର ଏସ୍ ପଣ୍ଡା ଓ ଅନ୍ୟମାନେ ଜୟପୁର-ନବରଙ୍ଗପୁର ୨୬ ନଂ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲେ। ଉମୁରି ନିକଟରେ ପୁଲିସକୁ ଦେଖି ଗୋପାଳ ରାମ୍ ଟ୍ରକକୁ ଛାଡି ଫେରାର ହେଉଥିବାବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ଟ୍ରକରୁ ପୁଲିସ ୮୦୫ କିଲୋ ୮୦୦ ଗ୍ରାମ ଗଞ୍ଜେଇ (ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା) ଜବତ କରିବା ସହ ରାମ ଗୋପାଳକୁ ଗିରଫ କରିଥିଲା। ଅଧିକ ପଚରାଉଚୁରା ପାଇଁ ହାଜତରେ ରଖା ଯାଇଥିଲା। ରାମ ଗୋପାଳର ଘର ରାଜସ୍ଥାନର ନାଗୌର ଜିଲ୍ଲା କାଥୋଟି ନଗର ମାଲିଓଂକାରେ ବୋଲି ଜଣାପଡିଛି। ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।