ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ରାଜ୍ୟରେ ୨୦ଟି ଜିଲ୍ଲାରେ ବନ୍ୟାଜଳ ପଶିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ ହଜାର କଚ୍ଚା ଘର ମାଟିରେ ମିଶି ଯାଇଥିବା ରିପୋର୍ଟରୁ ସୂଚନା ମିଳିଛି। ବନ୍ୟାରେ ୧୭ଜଣଙ୍କ ଜୀବନ ଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ବନ୍ୟାରେ ୨୦ଟି ଜିଲ୍ଲାର ୧୧୨ଟି ବ୍ଲକର ୩୨୫୬ ଗ୍ରାମର ୧୪ଲକ୍ଷ ୩୨ହଜାର ୭୦୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।
ଉପରମୁଣ୍ଡରେ ବର୍ଷା କମିଥିଲେ ମଧ୍ୟ ବନ୍ୟାଜଳ ନଦୀରୁ କମୁନି। ହୀରାକୁଦରୁ ବନ୍ୟାଜଳ ପାସ କରିବା ପାଇଁ ୧୨ରୁ ୧୫ ଘଣ୍ଟା ଲାଗିବ। ତେଣୁ ବନ୍ୟାସ୍ଥିତି ଆହୁରି ୩ରୁ୪ ଦିନ ଲାଗିରହିବ। ଏପଟେ ମହାନଦୀ ଅବବାହିକାରେ ଦୁଇଟି ଘାଇ ହୋଇ ଗାଁ ମୁହାଁ ହୋଇଛି ବନ୍ୟାଜଳ। ପୁରୀ ଜଗତସିଂହପୁର ଓ କେନ୍ଦ୍ରପଡାରେ ଲହାର ପ୍ରଭାବ ରହିବ। ସେଥିପାଇଁ ଉଦ୍ଧାର ଓ ରିଲିଫ ବଣ୍ଟନ ପାଇଁ ଅଧିକ ଓଡ୍ରାଫ ଟିମ୍ ପଠାଇଛନ୍ତି ସରକାର। ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ହୀରକୁଦକୁ ୭ଲକ୍ଷ୬୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୭ ଲକ୍ଷ ୬୫ ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି। ଆଜି ସକାଳେ ମୁଣ୍ଡଳିରେ ହୀରାକୁଦରୁ ଆସିଥିବା ୧୦ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପାସ କରୁଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହା ଲାଗିରହିବ। ମହାନଦୀ ଅବବାହିକାରେ ୨ଟି ଘାଇ ହୋଇଛି। କଣାସ ନୂଆସାହି ନକଟରେ ଦୟାରେ ଗୋଟିଏ ହୋଇଥିବା ବେଳେ ଖୋର୍ଦ୍ଧାର ରାଜୁଆରେ ମଧ୍ୟ ଗୋଟିଏ ଘାଇ ହୋଇଛି।