ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସରକାରୀ ଜମିରୁ ବେଆଇନ ପଥର ଚୋରା ଚାଲାଣ ଅଭିଯୋଗରେ ରାଜସ୍ୱ ବିଭାଗ ଏକ ଜେସିବି ବୋଝେଇ ଟ୍ରକ ଜବତ କରିଛି । ଏହାସହ ପଥର ଚୋରାଚାଲାଣକାରୀଙ୍କଠାରୁ ୧ଲକ୍ଷ ୧ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ତହସିଲଦାର ଲକ୍ଷ୍ମଣ ମାଝୀ ସୂଚନା ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ଗଡ଼ିଆଜୋର ଗ୍ରାମ ପୋଖରୀ ତଳ ମୁଣ୍ଡରେ ଥିବା ଏକ ସରକାରୀ ଜମିରୁ ପାଟଣାଗଡ଼ ଅଞ୍ଚଳର ଜନୈକ ଠିକାଦାର ପଥର ଚୋରା ଚାଲାଣ କରୁଥିଲେ । ସ୍ଥାନୀୟ ତହସିଲଦାର ଓ କର୍ତୃପକ୍ଷଙ୍କ ବିନା ଅନୁମତିରେ ଜେସିବି ଓ ହେମର ମାଧ୍ୟମରେ ପଥର ଫଟାଇ ଚାଲାଣ କରୁଥିବାର ଅଭିଯୋଗ ତହସିଲଦାରଙ୍କ ପାଖରେ ପହଞ୍ଚିଥିଲା । ପରେ ତଦନ୍ତ କରି ଯୋଗୀମୁଣ୍ଡା ଓ କେନ୍ଦୁମୁଣ୍ଡି ରାଜସ୍ୱ ନିରୀକ୍ଷକ ମିଶି ଚଢ଼ଉ କରିଥିଲେ । ସେମାନେ ପହଞ୍ଚି ଜେସିବି ଓ ହେମର ସହ ୧ ଲକ୍ଷ ୧ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ ଏବଂ ପଥର ମାଫିଆଙ୍କୁ ଉକ୍ତ ପଥରର ରାଜସ୍ୱ ଦେଇ ତାକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।