ପଡୋଶୀ ଜିଲ୍ଲା ଖଣି ଅଞ୍ଚଳରେ ଟ୍ରକକୁ ମିଳୁନି ବୋଝେଇ, ସମସ୍ୟା ସମାଧାନ ନହେଲେ ଦେବଗଡ଼ ଜିଲ୍ଲାକୁ ସମ୍ପୃକ୍ତ ସଙ୍ଘର ଟ୍ରକ ଚଳାଚଳ ରୋକିବ ସଙ୍ଘ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଟ୍ରକ ଓ ଟିପ୍ପର ମାଲିକ ସଙ୍ଘର ସମସ୍ୟାର ସମାଧାନ ପାଇଁ ଆଜି ସଙ୍ଘ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛି। ଏନେଇ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ସଂଘ। ସଙ୍ଘର ସଭାପତି ବେଣୁଧର ସାହୁ ଓ ସମ୍ପାଦକ କ୍ଷେତ୍ରବାସୀ ଦଳବେହେରାଙ୍କ ନେତୃତ୍ୱରେ ସଙ୍ଘର ବହୁ ସଦସ୍ୟ ଏକତ୍ର ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ଏହି ସ୍ମାରକ ପତ୍ରରେ ସଙ୍ଘର ପଞ୍ଜିକୃତ ଟ୍ରକ ଏବଂ ଟିପ୍ପର ଗୁଡିକ ସାଧାରଣତଃ ପଡୋଶୀ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ଉପରେ ନିର୍ଭର କରୁଥିବା ବେଳେ ଉପରୋକ୍ତ ଜିଲ୍ଲା ଗୁଡିକରେ ଥିବା ଟ୍ରକ ମାଲିକ ସଙ୍ଘ ଦେବଗଡ଼ ଜିଲ୍ଲାର ଟ୍ରକ ଓ ଟିପ୍ପର ଗୁଡିକୁ ବୋଝେଇ ଦେଉନାହାନ୍ତି। ଫଳରେ ଦେବଗଡ଼ ଜିଲ୍ଲାର ଟ୍ରକ ଓ ଟିପ୍ପର ମାଲିକ ମାନେ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଗାଡି ଋଣ କିସ୍ତି ଜମା କରିବାରେ ନାହିଁ ନଥିବା ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି। ସେହିପରି ସମ୍ପୃକ୍ତ ଜିଲ୍ଲାର ପ୍ରଶାସନ ସେମାନଙ୍କ ଜିଲ୍ଲାର ସଙ୍ଘକୁ ପ୍ରାଥମିକତା ଦେଉଥିବା ବେଳେ ଦେବଗଡ଼ ଜିଲ୍ଲାର ଗାଡି ମାଲିକଙ୍କ କୌଣସି ଅଭିଯୋଗକୁ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଫଳରେ ଦେବଗଡ଼ ଜିଲ୍ଲା ପ୍ରଶାସନ ନିଜ ଜିଲ୍ଲାର ଟ୍ରକ ଓ ଟିପ୍ପର ମାଲିକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଆଗାମୀ ୧୫ ଦିନ ମଧ୍ୟରେ କୌଣସି ସମାଧାନ ନକଲେ ବାରକୋଟ ଟ୍ରକ ଓ ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ବାରକୋଟ ରାସ୍ତା ଦେଇ ଚଳାଚଳ କରୁଥିବା କେନ୍ଦୁଝର ଓ ସୁନ୍ଦରଗଡ଼ ସଙ୍ଘର କୌଣସି ଟ୍ରକ ଓ ଟିପ୍ପରକୁ ଚଳାଇ ଦେବେ ନାହିଁ ବୋଲି ଲିଖିତ ଚେତାବନୀ ଦେଇଥିବା ଜଣାପଡିଛି।