ଟ୍ରକ୍‍ ଧକ୍କାରେ ସ୍କୁଲଛାତ୍ର ମୃତ, ପୋଡ଼ିଦେଲେ ଟ୍ରକ

ଲହୁଣୀପଡା,ଏନ୍ଏନ୍ଏସ୍: ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ଛକ ନିକଟରେ ଏକ ଲୁହା ପଥର ବୋଝେଇ ଟ୍ରକ୍ ଧକ୍କାରେ ଜଣେ ସ୍କୁଲଛାତ୍ର ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଲହୁଣୀପଡ଼ା ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ସ୍ୱର୍ଗତ ରଶାଇ ମୁଣ୍ଡାଙ୍କ ପୁଅ ବିର୍ସା ମୁଣ୍ଡା (୧୨) ଓ ସେହି ଗ୍ରାମର ପାଣ୍ଟୁ ମୁଣ୍ଡାଙ୍କ ପୁଅ ସଞ୍ଜୟ ମୁଣ୍ଡା (୧୨) ଉଭୟ ଦର୍ଜିଂ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି।

ମଙ୍ଗଳବାର ଅପରାହ୍ଣ ୪ଟାରେ ସ୍କୁଲ ଛୁଟି ହେବା ପରେ ସାଇକେଲ୍‍ରେ ଘରକୁ ଫେରୁଥିବା ବେଳେ କୋଇଡ଼ାରୁ ରାଉରକେଲା ଅଭିମୁଖେ ଯାଉଥିବା ନମ୍ବର ଲୁହାପଥର ବାଝେଇ ୧୨ ଚକିଆ ଟ୍ରକ ୧୪୩ ନମ୍ବର ଜାତୀୟ ରାଜପଥ ଦର୍ଜିଂ ଛକ ନିକଟରେ ଛାତ୍ର ଦ୍ୱୟଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ର ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିବା ସହ ଘଟଣାସ୍ଥଳରେ ଥିବା ଗାଡ଼ିଟିକୁ ପୋଡ଼ି ଦେଇଛନ୍ତି। ଲହୁଣୀପଡ଼ା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚବା ସହିତ ବଣେଇ ଉପ ଜିଲ୍ଲାପାଳ ଏବଂ ଏସଡିପିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁୁ ବୁଝାସୁଝା କରିଥିଲେ।