ମର୍ଣ୍ଣିଂ ୱାକରେ ଯିବାବେଳେ ପିଟିଲା ଟ୍ରକ, ଜଣେ ଛାତ୍ରୀ ମୃତ

ଯାଜପୁର,ଏନ୍ଏନ୍ଏସ୍: ମର୍ଣ୍ଣିଂ ୱାକରେ ଯିବା ବେଳେ ଘଟିଲା ଦୁର୍ଘଟଣା। ଟ୍ରକ ଧକ୍କାରେ ଜଣେ ଛାତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଛାତ୍ରୀ ଜଣଙ୍କ ହେଲେ ବରୁହାଁ ଗ୍ରାମର ଶିବ ଜେନାଙ୍କ ୧୭ ବର୍ଷର ଝିଅ ବର୍ଷାରାଣୀ ଜେନା।

ଆଜି ସକାଳୁ ବର୍ଷା ଓ ତାର ସାଙ୍ଗମାନେ ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ଏକ ଚିପ୍ସ ବୋଝେଇ ଟ୍ରକ ବର୍ଷାଙ୍କୁ ଧକ୍କା ଦେଇଥିଲା। ପରେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଛାତ୍ରୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକେ ବରି ଯାଜପୁର ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।